ତାଲିବାନ ହୁକୁମ: ୟୁନିଭର୍ସିଟିକୁ ଆସିପାରିବେନି ଛାତ୍ରୀ, ତୁରନ୍ତ ପାଠ ବନ୍ଦ କରିବାକୁ ଶିକ୍ଷାମନ୍ତ୍ରାଳୟର ନିର୍ଦ୍ଦେଶ
21/12/2022 at 10:21 PM

କାବୁଲ: ତାଲିବାନ ରାଜରେ ଛାତ୍ରୀମାନଙ୍କୁ କଲେଜ୍ କି ୟୁନିଭର୍ସିଟିରେ ପାଠ ପଢ଼ିବା ମନା। ଏମିତି ନିର୍ଦ୍ଦେଶନାମା ଘୋଷଣା କରିଛନ୍ତି ତାଲିବାନ ଉଚ୍ଚଶିକ୍ଷମନ୍ତ୍ରାଳୟ। ପରବର୍ତ୍ତି ନିର୍ଦ୍ଦେଶନାମା ନ ଆସିବାଯାଏ କୌଣସି ଛାତ୍ରୀ ୟୁନିଭର୍ସିଟିରେ ପଠା ପଢ଼ିପାରିବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛି ତାଲିବାନ ଶିକ୍ଷାମନ୍ତ୍ରାଳୟ।
କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଦେଶରେ ଥିବା ଘରୋଇ ଓ ସରକାରୀ ୟୁନିଭର୍ସିଟିଗୁଡ଼ିକ ତୁରନ୍ତ ଛାତ୍ରୀଙ୍କ ପ୍ରବେଶକୁ ବନ୍ଦ କରନ୍ତୁ । ତ୍ୱରିତ ପଦକ୍ଷପରେ ନିୟମ ଲାଗୁ କରାଯାଉ ବୋଲି ଶିକ୍ଷାମନ୍ତ୍ରାଳୟ ପ୍ରବକ୍ତା ଜାଇଉଲ୍ଲାହ ହଶିମି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଉଚ୍ଚଶିକ୍ଷାମନ୍ତ୍ରୀ ନେଦା ମହମ୍ମଦ ନଦୀମ ଏହି ନିର୍ଦ୍ଦେଶ ଦେଇଛନ୍ତି।

ତାଲିବାନର ଏହି ନିର୍ଦ୍ଦେଶକୁ ନିନ୍ଦା କରିଛି ଜାତିସଂଘ। ଏହଭଳି ନିର୍ଦ୍ଦେଶ ବିପଦ ବୋଲି ଜାତିସଂଘ ପ୍ରବକ୍ତା ଷ୍ଟିଫେନ ଡୁଜାରିକ୍ କହିଛନ୍ତି। ଏନେଇ ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡୁଜାରିକ କହିଛନ୍ତି “ଏହା ସ୍ପଷ୍ଟ ଯେ ତାଲିବାନ ପୁଣି ଏକ ପ୍ରତିଶ୍ରୁତି ଭାଙ୍ଗିଲା ଯେବେଠାରୁ ତାଲିବାନ ଆଫଗାନିସ୍ତାନ ଅକ୍ତିଆର କଲାଣି ସେବେଠାରୁ ଆମେ ଦେଖୁଚୁ ମହିଳାଙ୍କ ପାଇଁ ସ୍ଥାନ ସଂକୁଚିତ ହେବାରେ ଲାଗିଛି। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ସର୍ବସାଧାରଣ ସ୍ଥାନମାନଙ୍କର ବି ମହିଳାଙ୍କୁ ଛଡ଼ାଯାଉନି।”
ଡୁଜାରିକ କହିଛନ୍ତି “ ଏହା ଆଉ ଏକ ବିପଦପୂର୍ଣ୍ଣ ପଦକ୍ଷେପ। ମହିଳାଙ୍କ ଶିକ୍ଷା ଓ ସଯୋଗ ବିନା କେମିତି ଏକ ଦେଶ ସବୁ ଆହ୍ୱାନକୁ ସାମ୍ନା କରି ବିକଶତି ଏକଥା ଚିନ୍ତା ବି କରି ହେଉନି।”
ଆଫଗାନିସ୍ତାନକୁ ନେଇ ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦରେ ବୌଠକ ବେଳେ ତାଲିବାନ ଏହି ହୁକୁମ ଶୁଣାଇଥିଲା। ଯାହାକୁ ଆମେରିକା ସମେତ ବ୍ରିଟେନ୍ ଜାତିସଂଘ ରାଷ୍ଟ୍ରଦୂତ ମଧ୍ୟ ନିନ୍ଦା କରିଥିଲେ। ଯେପର୍ଯ୍ୟନ୍ତ ପ୍ରତ୍ୟେକ ଆଫଗାନିଙ୍କୁ ସମାନ ଅଧିକାର ମିଳି ନାହିଁ ସେ ପର୍ଯ୍ୟନ୍ତ ଆଫଗାନିସ୍ତାନ ଅନ୍ତର୍ଜାତୀୟ ସମୁଦାୟରେ ଜଣେ ସ୍ୱୀକୃତି ପ୍ରାପ୍ତ ରାଷ୍ଟ ହୋଇପାରିବ ନାହିଁ ବୋଲି ୟୁଏସ୍ ଡେପୁଟି ୟୁନ ଆମ୍ବାସାଡର ରବର୍ଟ ଉଡ କହିଥିଲେ। ଅନ୍ୟପଟେ ତାଲିବାନ ନିଜ ନିଷ୍ପତ୍ତି ସପକ୍ଷରେ ମତ ଦେଇଛି। କହିଛି ଦେଶର ସ୍ୱାର୍ଥ ଓ ମହିଳାଙ୍କ ସମ୍ମାନକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି।