ତାଲିବାନକୁ ଦେଉନି ମାନ୍ୟତା, ସେପଟେ ଆଫଗାନିସ୍ତାନରେ ତୈଳ ଉତ୍ତୋଳନ କରିବ ଚୀନ କମ୍ପାନି

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ: ଆଫିଗାନିସ୍ତାନର ଅମୁ ଦରିଆ ଘାଟିରେ ଅଶୋଧିତ ତୈଳ ଉତ୍ତୋଳନ କରିବା ପାଇଁ ଚୀନର ଏକ କମ୍ପାନିକୁ ଠିକା ଦେଇଛି ତାଲିବାନ ।  ୨୦୨୧ରେ ଶାସନ ସମ୍ଭାଳିବା ପରେ ତାଲିବାନ ଦ୍ୱାରା କୌଣସି ବିଦେଶୀ କମ୍ପାନି ସହ ପ୍ରଥମ ଚୁକ୍ତି । ତାଲିବାନ ସରକାର ଏହି ଠିକା ଚୀନର କମ୍ପାନି ସିଙ୍କିୟାଙ୍ଗ ସେଣ୍ଟ୍ରାଲ ଏସିଆ ପେଟ୍ରୋଲିୟମ ଆଣ୍ଡ ଗ୍ୟାସ କମ୍ପାନିକୁ ଦେଇଛି । ଏହା ତାଲିବାନ ଦ୍ୱାରା କୌଣସି ବିଦେଶୀ କମ୍ପାନି ସହ କରାଯାଇଥିବା ଏହି ଧରଣର ପ୍ରଥମ ବୁଝାମଣା ଅଟେ । ଏକ ଆକଳନ ଅନୁସାରେ ଅମୁ ଦରିଆରେ ପ୍ରାୟ ୮.୭ କୋଟି ବ୍ୟାରେଲ ଅଶୋଧିତ ତୈଳ ଥାଇପାରେ ।

ଏହି ଚୁକ୍ତିରେ ଆଫଗାନିସ୍ତାନରେ ଚୀନର ଆର୍ଥିକ ଉପସ୍ଥିତିକୁ ରେଖାଙ୍କିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନରେ ଚୀନର ସାଧାରଣ ନାଗରିକଙ୍କୁ ଆଇଏସ ଟାର୍ଗେଟ କରି ଆସୁଛି, ଏଭଳି ସମୟରେ ଏହି ଚୁକ୍ତିକୁ ନେଇ ଅନେକ ଆଲୋଚନା କରାଯାଉଛି । କାବୁଲରେ ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଦେଶରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ୱାଙ୍ଗ ୟୁ କହିଛନ୍ତି, ଅମୁ ଦରିଆ କଣ୍ଟ୍ରାକ୍ଟ ଚୀନ ଏବଂ ଆଫଗାନିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିଯୋଜନା।

ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଚୀନର କମ୍ପାନି ଚୁକ୍ତି ଅନୁସାରେ ଆଫଗାନିସ୍ତାନରେ ବର୍ଷକରେ ୧୫୦ ମିଲିୟନ ଡଲାର ନିବେଶ କରିବ । ୨୫ ବର୍ଷ ପାଇଁ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି । ମାତ୍ର ତିନି ବର୍ଷରେ ଚୀନୀ କମ୍ପାନିର ନିବେଶ ବଢି ୫୪୦ ମିଲିୟନ ଡଲାର ହୋଇଯିବ । ଏଥିରେ ତାଲିବାନର ଭାଗିଦାରୀ ୨୦ ପ୍ରତିଶତ ରହିବ, ଯାହାକୁ ବଢାଇ ୭୫ ପ୍ରତିଶତ ଯାଏଁ କରାଯାଇ ପାରିବ ।

ଚୀନର କମ୍ୟୁନିଷ୍ଟ ସରକାର ତାଲିବାନକୁ ଆନୁଷ୍ଠାନିକ ଭାବେ ମାନ୍ୟତା ଦେଇନାହିଁ, କିନ୍ତୁ ଆଫଗାନିସ୍ତାନ ତା ପାଇଁ ଗୁରୁତ୍ୱ ବହନ କରୁଛି । ଆଫଗାନିସ୍ତାନ ଏବଂ ଏହାର ଆଖପାଖ ଅଞ୍ଚଳ ଚୀନର ବେଲ୍ଟ ଆଣ୍ଟ ରୋଡ ପରିଯୋଜନାର କେନ୍ଦ୍ରରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.