ଟ୍ରେନିଂ ବେଳେ କାବୁଲରେ କ୍ରାସ୍ ହେଲା ବ୍ଲାକ୍ ହକ୍ ହେଲିକପ୍ଟର, ୩ ମୃତ
11/09/2022 at 4:15 PM

କାବୁଲ ୧୧।୯: ଆଫଗାନିସ୍ତାନରେ ଟ୍ରେନିଂ ଏକ୍ସରସାଇଜ କାଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜଧାନୀ କାବୁଲରେ ହୋଇଥିବା ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ତାଲିବାନ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚିତ କରିଛନ୍ତି। ରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇନାୟତୁଲ୍ଲାହ ଖୋରାଜମୀ ସୂଚନା ଦଇ କହିଛନ୍ତି ଯେ ଆମେରିକୀୟ ବ୍ଲାକ ହକ୍ ହେଲିକପ୍ଟର ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଶିକ୍ଷଣ ଉଡାଣ କରୁଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପ୍ରାୟ ବର୍ଷକ ପୂର୍ବେ ତାଲିବାନ ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ବେଳେ କିଛି ଆମେରିକୀୟ ବିମାନକୁ ନିଜ ଆୟତ୍ତକୁ ନେଇଥିଲା। ତେବେ ଏଥିରୁ କେତେ ବିମାନ ଠିକଠାକ ଅଛନ୍ତି ତାହା ଜଣା ନାହିଁ। ଆମେରିକୀୟ ସେନା ଦେଶ ଛାଡିବା ପୂର୍ବରୁ କିଛି ସାମରିକ ହାର୍ଡୱେରକୁ ନଷ୍ଟ କରି ଦେଇଯାଇଥିଲେ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକା ଆଫଗାନିସ୍ତାନ ସରକାରକୁ ୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ମିଲେଟ୍ରି ଇକ୍ୱିପମେଣ୍ଟ ଦେଇ ଯାଇଥିଲେ। ଦେଶକୁ ହାତେଇବା ବେଳେ ତାଲିବାନମାନେ ଏଥିରୁ ଅଧିକାଂସକୁ ନିଜ ଆୟତ୍ତକୁ ନେଇଛନ୍ତି।

ଆମେରିକା ସେନା ଦେଶ ଛାଡିବା କାଳରେ ତାଲିବାନ ଅନେକ ସାମରିକ ବିମାନ, ଗ୍ରାଉଣ୍ଡ ଭେଇକିଲ, ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସୈନ୍ୟ ସାଜ ସରଞ୍ଜାମକୁ ନିଜ ଅକ୍ତିଆରକୁ ନେଇଥିଲା। ରିପୋର୍ଟ ଅନୁସାରେ ଛୋଟ ଅସ୍ତ୍ରଶସ୍ତ୍ର ଯେପରିକି ରାଇଫଲ, ପିସ୍ତଲ, ମେସିନଗନ, ରକେଟ ପ୍ରୋପେଲଡ୍ ଗ୍ରେନେଡ ଆଦି ୫୧୧ ମିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଛାଡି ଯାଇଥିଲେ। ଯାହାକୁ ତାଲିବାନମାନେ ହାତେଇଛନ୍ତି। ଆଫଗାନିସ୍ତାନ ଛାଡିବା ବେଳେକୁ ଆମେରିକୀୟ ସେନା କମ୍ୟୁନିକେସନ ଡିଭାଇସ ସମେତ ଏକ୍ସପ୍ଲୋସିଭ ଡିଟେକ୍ଟର, ନାଇଟ ଭିଜନ ଓ ଅନ୍ୟ ସର୍ଭିଲାନ୍ସ ଇକ୍ୱିପମେଣ୍ଟ ଆଫଗାନିସ୍ତାନରେ ଛାଡି ଦେଇଯାଇଛନ୍ତି।