ଦୁଃଖ ଯେତେବେଳେ ଆସେ ସାଂଗ ସାଥୀ ନେଇ ଆସେ: କୁଶିଆପାଳ ଗାଁର ବାବାଜୀ ନାୟକଙ୍କ କାହାଣୀ ଶୁଣିଲେ ଆପଣଙ୍କ ଲୋମ ବି ଟାଙ୍କୁରୀ ଉଠିବ

Published By : Prameya-News7 Bureau | August 10, 2019 IST

କେନ୍ଦ୍ରାପଡା(ମାତୃଦତ୍ତ ମହାନ୍ତି)୧୦|୮: ପରିଣତ ବୟସରେ ବି ଅସହାୟ ପରିବାରର ବୋଝକୁ ନିଜ କାନ୍ଧରେ ବୋହି ଚାଲିଛନ୍ତି କେନ୍ଦ୍ରାପଡ଼ା କୁଶିଆ ପାଳ ଗାଁର ବାବାଜୀ ଚରଣ ନାୟକ । ମୂଲ ଲାଗି ୬ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଦି’ମୁଠା ଯୋଗାଡ଼ କରିବା ବି କଷ୍ଟକର ହୋଇପଡ଼ୁଛି । ଏମିତିରେ ପ୍ରଶାସନର ସହାୟତା ତ ଦୂରର କଥା ତାଙ୍କ ନାଁରେ ଆସିଥିବା ଇନ୍ଦିରା ଆବାସକୁ ମଧ୍ୟ ଆଉ କେହି ହଡ଼ପ କରିନେଇଛି । ତେବେ ଚାଲନ୍ତୁ ଦେଖିବା ବାବାଜୀଙ୍କ ଅସହାୟତାର କରୁଣ କାହାଣୀ ।

{"id":142958}

ଏ ଦୁନିଆରେ ବଞ୍ଚିବାକୁ ହେଲେ କେତେ ଦୁଃଖ, କେତେ ଝଡ଼ ସହିବାକୁ ପଡ଼େ ତାହା ବୋଧହୁଲ ମାଟି ପିଣ୍ଢାରେ ବସିଥିବା ଏଇ ମଳିମୁଣ୍ଡିଆ ବ୍ୟକ୍ତି ଜଣକ ଠାରୁ ଆଉ କେହି ଅଧିକ ଜାଣିନଥିବେ । ନାଁ ବାବାଜୀ ଚରଣ ନାୟକ । ଗାଁ – କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ କୁଶିଆପାଳ । ଏ ପରିଣତ ବୟସରେ ବି ମୂଲ ଲାଗିଲେ ୬ପ୍ରାଣି କୁଟୁମ୍ବଙ୍କ ପେଟକୁ ଦାନା ମୁଠେ ଯୋଗାଡ଼ କରନ୍ତି ।

{"id":142959}

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ବୟସରେ ବାବାଜୀଙ୍କ ହାତରେ ହାତ ମିଶାଇବାକୁ କ’ଣ ପରିବାରରେ ଆଉ କେହି ନାହାନ୍ତି ?  ଏ ପ୍ରଶ୍ନର ଉତ୍ତର ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହୋଇଯିବ । ଛାତି ଭିତରଟା କୋରି ହୋଇଯିବ । ବାବାଜୀଙ୍କ ବଡ଼ ପୁଅ ରମାକାନ୍ତ ଜନ୍ମରୁ ଅନ୍ଧ । ଯୁବାବସ୍ଥାରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ପାଇଁ ଏ ଜୀବନଟା ପୂରା ଅନ୍ଧାର ।

{"id":142960}

ସାନପୁଅ ଚନ୍ଦ୍ରକାନ୍ତ କୌଣସି କମ୍ପାନୀରେ କାମ କରି ବାପାଙ୍କୁ ସହାୟ ହେଉଥିଲେ । ହେଲେ ଦଇବ ତାକୁ ବି ସହିଲାନି । ନିକଟରେ ବ୍ରେନ୍ ଟ୍ୟୁମର ଅପରେସନ୍ ପରେ ସେ ମଧ୍ୟ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି । ପୁଅର ଚିକିତ୍ସାରେ ପ୍ରାୟ 3 ଲକ୍ଷ ଟଙ୍କା ଖର୍ଚ୍ଚ କରି ବାବାଜୀ ଏବେ ସମ୍ପୂର୍ଣ୍ଣ ନିଃସ୍ବ । ପୁଅର ଅଧିକ ଚିକିତ୍ସା ପାଇଁ ଆହୁରି ୩ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହୁଛନ୍ତି ।

{"id":142961}

ହେଲେ ନିଜର ଭିଟାମାଟିକୁ ପର ହାତକୁ ଟେକିଦେଲେ ବି ଏତେ ଟଙ୍କା ଯୋଗାଡ଼ କରିବା ବାବଜୀଙ୍କ ପକ୍ଷେ ସମ୍ଭବ ନୁହେଁ । ଏତିକିରେ ତା’ର ଦୁଃଖ ସରିନି । ଧାର ଉଦ୍ଧାର କରି ଝିଅଟିକୁ ବାହା ଦେଇଥିଲେ । ହେଲେ ଝିଅ କୋଳକୁ ଆସିଥିବା ଶିଶୁଟି ପୋଲିଓ ଆକ୍ରାନ୍ତ ହେବାରୁ ଶାଶୂଘର ଲୋକ ଘରୁ ବାହାର କରିଦେଲେ । ଏବେ ଝିଅ ଓ ତା’ର ପିଲାଟିର ଦାୟିତ୍ବ ମଧ୍ୟ ଏହି ବୁଢ଼ା ବାପାର କାନ୍ଧରେ ।

{"id":142962}

ଗରିବ ଗୁରୁବାଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନାରୁ କାଣିଚାଏ ହେଲେ ବି ବାବାଜୀଙ୍କ ଭଳି ଦୁଃଖୀ ମଣିଷ ପାଖରେ ନ ପହଞ୍ଚିବା ସବୁଠାରୁ ବିଡ଼ମ୍ବନାର ବିଷୟ । ସହାୟତାର ଦୂରର କଥା ବାବାଜୀଙ୍କ ନାଁରେ ଆସିଥିବା ଇନ୍ଦିରା ଆବାସ ଖଣ୍ଡକ ବି ଆଉ କେହି ହଡ଼ପ କରିନେଇଛନ୍ତି ।

{"id":142963}

ଏକଥା ଜାଣିବା ପରେ ନ୍ୟୁଜ୍‌ ସେଭେନ ପ୍ରତିନିଧି ସ୍ଥାନୀୟ ବିଡିଓଙ୍କୁ ଭେଟି ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ତେବେ ଅଭିଯୋଗକୁ ସ୍ବୀକାର କରିବା ସହ ଘଟଣାର ତଦନ୍ତ ନିର୍ଦେଶ ଦେଇଥିବା ସଫେଇ ଦେଇଥିଲେ ।

{"id":142964}

ଯେଉଁଠି ଏତେ ଦିନ ଯାଏଁ ଏହି ଗରିବ ଅସହାୟ ପରିବାର ଉପରେ କେନ୍ଦ୍ରାପଡ଼ା ପ୍ରଶାସନର ଶୁଭଦୃଷ୍ଟି ପଡ଼ିନି, ସେଠି ନିକଟ ଭବିଷ୍ୟତରେ ଯେ ସରକାରୀ ସହାୟତା ତାଙ୍କ ପାଖରେ ପହଞ୍ଚିବ ସେ ଭରସା ଦେବ କିଏ ?  ଏମିତିରେ ଯଦି କୌଣସି ସହୃଦୟ ବ୍ୟକ୍ତି ବାବାଜୀଙ୍କୁ ସହାୟତାର ହାତ ବଢ଼ାନ୍ତେ ତାହେଲେ ବୟସର ଏହି ଅପରାହ୍ଣରେ ତାଙ୍କର ଦୁଃଖ କିଛି ମାତ୍ରାରେ ଲାଘବ ହୋଇପାରନ୍ତା ବୋଲି ଆମର ବିଶ୍ବାସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.