ବାଟ ଓଗାଳୁଛି ଚୀନ; ଇଣ୍ଟରପୋଲ୍ରେ ସାମିଲ ହେବା ପାଇଁ ଭାରତର ସହଯୋଗ ଲୋଡିଲା ତାଇୱାନ
19/08/2022 at 11:45 PM

ନୂଆଦିଲ୍ଲୀ: ଇଣ୍ଟରପୋଲ(International Criminal Police Organization)ରେ ସାମିଲ୍ ହେବାକୁ ଭାରତର ସହଯୋଗ ଲୋଡ଼ିଲା ତାଇୱାନ। ଇଣ୍ଟରପୋଲ ହେଉଛି ଅନ୍ତର୍ଜାତୀୟ ସଂଗଠନ। ଯାହା ବିଶ୍ୱ ସ୍ତରରେ ପୁଲିସ ଓ ଅପରାଧ ନିୟନ୍ତ୍ରଣରେ ସହଯୋଗ ପ୍ରଦାନ କରିଥାଏ। ଏବେ ତାଇୱାନ୍ ଏହାର ସଦସ୍ୟ ହେବାକୁ ଚାହୁଁଛି। ଏଥିପାଇଁ ସେ ଭାରତର ସହଯୋଗ ଲୋଡ଼ିଛି।
ଆମେରିକା ସରକାରୀ କର୍ମଚାରୀ ତାଇୱାନ ଆସି ଚୀନ ବିରୋଧରେ ରଣ ହୁଙ୍କାର ଦେବା ସହ ତାଇୱାନକୁ ସହଯୋଗ କରିବାକୁ ପ୍ରତିସ୍ରୁତି ଦେବା ପରେ ଚୀନ ବାରମ୍ବାର ତାଇୱାନ୍ ସୀମାରେ ସମରାଭ୍ୟାସ କରୁଛି। ଆଉ ଏପଟେ ଭାରତ ସହ ଚୀନ ସୀମା ବିବାଦ ଖରାପ ସ୍ଥିତିରେ ରହିଛି। ସମ୍ପର୍କ ଭଲ ନାହିଁ। ଏହି ସମୟରେ ତାଇୱାନ ଭାରତର ସହଯୋଗ ଲୋଡ଼ିବା ଚୀନ ପାଇଁ କଟା ଘାରେ ଚୂନ ଦେବା ଭଳି ହୋଇଛି।
ଏପଟେ ବଢ଼ୁଥିବା ପ୍ରଭାବ ଦେଖାଇ ଚୀନ ଇଣ୍ଟରପୋଲକୁ ଡରାଇ ରଖିଛି। ଅର୍ଥନୀତିର ଶକ୍ତି ଦେଖାଇ ନିଜର ଲାଭ ପାଇଁ ୨୦୧୬ରୁ ଇଣ୍ଟରପୋଲକୁ ଚାପ ପକାଉଛି ଚୀନ। ଅପରାଧିକ ତଦନ୍ତ ବ୍ୟୁରର କମିଶନର କହିଛନ୍ତି “ ତାଇୱାନ ଇଣ୍ଟରପୋଲର୍ ସଦସ୍ୟ ରାଜ୍ୟ ନୁହେଁ। ତେଣୁ ଜେନେରାଲ ଏସେମ୍ବିଲକୁ ଆମେ ପ୍ରତିନିଧ ଦଳ ପଠାଇପାରିବୁ ନାହିଁ। ଭାରତ ଆୟୋଜକ ଦେଶ ହୋଇଥିବାରୁ ତା’ ପାଖରେ ଆମକୁ ଡାକିବାକୁ ଶକ୍ତି ରହିଛି। ତେଣୁ ଆମେ ଆଶା କରୁଛୁ ଯେ ଭାରତ ଓ ସଦସ୍ୟ ଥିବା ଅନ୍ୟ ଦେଶଗୁଡ଼ିକ ଆମକୁ ପର୍ଯ୍ୟବେକ୍ଷକ ଭାବେ ଡାକିବେ। ”
ସୂଚନା ଥାଉକି, ଅକ୍ଟୋବର ମାସରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଭାରତରେ ହେବ। ତେଣୁ ଭାରତ ତାଇୱାନକୁ ସହଯୋଗ କରୁ ବୋଲି ଚାହୁଁଛି ଦ୍ୱୀପଦେଶ।
ଏପଟେ ତାଇୱାନକୁ ଡରାଇବାରେ ଲାଗିଛି ଚୀନ। ତାଇୱାନ ପ୍ରତିରକ୍ଷାମନ୍ତ୍ରାଳୟର ସୂଚନା ଅନୁସାରେ, ଅଗଷ୍ଟ ୧୮ ତାରିଖରେ ୫୦ ଚୀନ ଯୁଦ୍ଧ ବିମାନ ତାଇୱାନ ସୀମାରେ ଉଡ଼ୁ ବୁଲୁଥିଲେ। ସେ ଟ୍ୱିଟ୍ କରିଥିଲେ “ ଅଗଷ୍ଟ ୧୮ରେ ୬ଟି ଯୁଦ୍ଧବିମାନ ଅବତରଣକାରୀ ଜାହାଜ, ୫୧ଟି ପିଏଲ୍ଏ ଯୁଦ୍ଧ ବିମାନ ଆମ ସୀମାରେ ଉଡ଼ୁବୁଲୁଥିବାର ଦେଖାଯାଇଛି। ”
ଅନ୍ୟପଟରେ ତାଇୱାନ ମଧ୍ୟ ନିର୍ଭୟରେ ଚୀନକୁ ଏୟାରକ୍ରାଫ୍ଟ ବିରୋଧୀ ଶକ୍ତିର ପ୍ରଦର୍ଶନ କରୁଛି। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ୨୪ ଘଣ୍ଟା ପ୍ରସ୍ତୁତ ହୋଇ ରହିଛୁ ବୋଲି ସେ କହିଛନ୍ତି। ଆମେ ଦୁର୍ବଳ ନୋହୁ। ସବୁଦିନ ପ୍ରସ୍ତୁତି ଜାରି ରହିଛି। ୨୪ ଘଣ୍ଟା ମିସାଇଲ ଅପରେସନ ଅଭ୍ୟାସ ଚାଲିଛି। ଚୀନ ସେନା ଆକ୍ରମଣ କରିବା ପୂର୍ବରୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବୁ ବୋଲି ତାଇୱାନ କହିଛି।