ତହସିଲଦାରଙ୍କ ଦାଦାଗିରି, ଯୁବକଙ୍କୁ ସର୍ବସମ୍ମୁଖରେ ପିଟିଲେ, ଭିଡିଓ ଭାଇରାଲ ପରେ ଜୋର୍ ଧରିଲା କାର୍ଯ୍ୟାନୁଷ୍ଠାନ ଦାବି

Published By : Prameya-News7 Bureau | December 21, 2020 IST

ଗୋପ, ୨୧/୧୨: ତହସିଲଦାରଙ୍କ ଦବଙ୍ଗଗିରି । ଯୁବକଙ୍କୁ ମାରିଲେ ମାଡ । ପୁରୀ ଜିଲ୍ଲୀ ଗୋପ ତହସିଲଦାରଙ୍କ ଦବଙ୍ଗଗିରିର ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ପରେ ଘଟଣାକୁ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ମଧ୍ୟ ହୋଇଛି । ସରକାରୀ କର୍ମଚାରୀ ହୋଇ ସାଧାରଣ ଯୁବକଙ୍କୁ ଲୋକଙ୍କ ଆଗରେ ଗୋଡ଼େଇ ଗୋଡ଼େଇ ପିଟିବାର ଭିଡିଓ ଭାଇରାଲ ହେବା ପରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାନୁସାରେ, ଗୋପ ତହସିଲଦାର ପ୍ରେମାଂଶୁ ଚାନ୍ଦ କୋଣାର୍କ ସୂର୍ଯ୍ୟମନ୍ଦିର ବାଲି ଚୋରିର ତଦନ୍ତ କରିବାକୁ ଯାଇଥିଲେ । ଏହି ସମୟରେ କୋଣାର୍କ ଥାନା ବାଣପଦା ଗ୍ରାମର ଜଣେ ଯୁବକଙ୍କୁ ସେ ଚାପୁଡ଼ା ମାରିଥିଲେ । ଏହି ଦୃଶ୍ୟ କେହି କଏଦ କରି ଭାଇରାଲ କରିଦେଇଥିଲେ ।

ତହସିଲଦାର ତଦନ୍ତ କରୁଥିବାବେଳେ କିଛି ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଫଟୋ ଉଠାଉଥିଲେ। ଏହି ସମୟରେ ବାଣପଦା ଗ୍ରାମର କପିଳ ବେଉରା ନାମକ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏପରିକି ସରକାରୀ କର୍ମଚାରୀଙ୍କୁ କିଛି କହୁଥିବାର ଜାଣିପାରି ତହସିଲଦାର ଉତ୍‌କ୍ଷିପ୍ତ ହୋଇ ତାଙ୍କ ନିକଟକୁ ଦୌଡ଼ିଯାଇ ଏକ ଶକ୍ତ ଚଟକଣୀ ମାରିଥିଲେ। ସାଧାରଣ ଜନତାଙ୍କୁ ନ୍ୟାୟ ଦେଉଥିବା ଅଧିକାରୀ ଯଦି ମାଡ଼ ମାରନ୍ତି ତାହାଲେ ଆଇନ୍‌ ଶୃଙ୍ଖଳା ଭୁସୁଡ଼ି ଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ମାଡ ଘଟଣାକୁ ନେଇ ତହସିଲଦାରଙ୍କୁ ପଚାରିବାରେ ସେ ଏହାକୁ ସ୍ୱୀକାର କରିଥିଲେ । ଗତ ସପ୍ତାହରେ କୋଣାର୍କ ମନ୍ଦିରରୁ ବାଲି ଚୋରି ଘଟଣାର ତଦନ୍ତ ବେଳେ ଜଣେ ବ୍ୟକ୍ତି ଅଶ୍ଳୀଳ ବ୍ୟବହାର କରିବାରୁ ସେ ତାଙ୍କୁ ଚାପୁଡ଼ା ମାରିଥିବା କହିଥିଲେ । ମାଡ ଖାଇଥିବା ବ୍ୟକ୍ତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.