ଟି-୨୦ ବିଶ୍ଵ କପ୍‌ରେ ଭାରତକୁ ବୁମରାଙ୍କ ଅନୁପସ୍ଥିତି ଅନୁଭୂତ ହେଉଛି କି ? ଜବାବ ଦେଲେ ଭୁବନେଶ୍ଵର କୁମାର

Published By : Prameya-News7 Bureau | October 28, 2022 IST

ନୂଆଦିଲ୍ଲୀ: ଭାରତ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପ୍‌ରେ ଦମଦାର ଭାବେ ନିଜର ଅଭିଯାନ ଆରମ୍ଭ କରିଛି। ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲର ଭଲ ବୋଲିଂ କରୁଛନ୍ତି। ବିଶେଷ କରି ଭୁବନେଶ୍ଵର କୁମାର ନୂତନ ବଲ୍‌ରେ ବେଶ ପ୍ରଭାବଶାଳୀ ବୋଲିଂ କରିଛନ୍ତି। ଏମିତିରେ ଭୁବନେଶ୍ଵର କୁମାରଙ୍କୁ ସାମ୍ବାଦିକ ପ୍ରଶ୍ନ କରିଛନ୍ତି ଯେ, ଦଳକୁ କଣ ବୁମରାଙ୍କ ଅନୁପସ୍ଥିତି ଅନୁଭୂତ ହେଉଛି। ଉତ୍ତରରେ ଭୁବନେଶ୍ଵର କୁମାର କହିଛନ୍ତି, ବୁମରାଙ୍କ ଅନୁପସ୍ଥିତି ନିଶ୍ଚିତ ରୂପେ ଭାରତୀୟ ଦଳ ପାଇଁ ବଡ ଝଟକା। ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ, ଆମର ବୋଲିଂ ୟୁନିଟ୍ ତାଙ୍କର ଅନୁପସ୍ଥିତିକୁ ପୂରା କରିବା ପାଇଁ ନିଜ ରଣନୀତିରେ ପରିବର୍ତ୍ତନ କରିବେ।

ଆହତ କାରଣରୁ ବୁମରା ଟି-୨୦ ବିଶ୍ଵ କପ୍‌ ଦଳରୁ ବାଦ୍ ପଡିଛନ୍ତି। ଅନ୍ୟପଟେ ଭୁବନେଶ୍ଵର କୁମାର ବି ଏସିଆ କପ୍‌ ଏବଂ ପରବର୍ତ୍ତୀ ଦ୍ଵିପାକ୍ଷିକ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ପାରିନଥିଲେ। ମାତ୍ର ବିଶ୍ଵ କପ୍‌ରେ ସେ ଏ ପର୍ଯ୍ୟନ୍ତ ଚମତ୍କାର ବୋଲିଂ କରିଛନ୍ତି। ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଭୁବନେଶ୍ଵର କୁମାର କହିଛନ୍ତି, ଯଦି ଯଶପ୍ରୀତ ବୁମରା ଦଳରେ ଥାଆନ୍ତେ ତେବେ ଆମକୁ କୌଣସି ଅତିରିକ୍ତ ଉଦ୍ୟମ କରିବାକୁ ପଡିନଥାନ୍ତା।

ଏସିଆ କପ୍‌ର ଦୁର୍ବଳ ପ୍ରଦର୍ଶନକୁ ନେଇ ଭୁବନେଶ୍ଵର କୁମାରଙ୍କୁ ପ୍ରଶ୍ନ କରାଯାଇଥିଲା। ଇସାରାରେ ସେ ଜଣାଇ ଦେଇଥିଲେ ଯେ, ନିଜ ପ୍ରଦର୍ଶନରେ ସେ ଖୁସି ନଥିଲେ। ଏତେ ବର୍ଷ କ୍ରିକେଟ୍ ଖେଳିବା ପରେ ବେଳେ ବେଳେ ଖରାପ ପ୍ରଦର୍ଶନ ହୋଇଯାଏ। ଗଣମାଧ୍ୟମ ଏବଂ ଭାଷ୍ୟକାର ଅନେକ ପ୍ରକାରର ଆଲୋଚନା କରନ୍ତି ମାତ୍ର ଦଳ ଜାଣିଛି ଯେ, ଖେଳାଳିଙ୍କୁ ଉତଥାନ ପତନ ଦେଇ ଗତି କରିବାକୁ ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.