T20 World Cup 2022: କ'ଣ ଆଡିଲେଡ୍‌ରେ ଖେଳା ଯାଇପାରିବ IND vs BAN ମ୍ୟାଚ୍ ? ଜାଣନ୍ତୁ କେମିତି ରହିବ ବୁଧବାରର ପାଣିପାଗ

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵ କପ୍‌ ୨୦୨୨ରେ ଭାରତ ବୁଧବାର ବାଂଲାଦେଶ ବିପକ୍ଷ ଗ୍ରୁପ-୨ରେ ନିଜର ଚତୁର୍ଥ ମ୍ୟାଚ୍ ଖେଳିବ। ଭାରତ ପ୍ରଥମ ତିନୋଟି ମ୍ୟାଚ୍‌ରୁ ଦୁଇ ବିଜୟ ଏବଂ ଏକ ପରାଜୟ ସହ ଗ୍ରୁପ-୨ର ପଏଣ୍ଟ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି। ଗତ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା। ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଆଡିଲେଡ୍‌ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ତେବେ ମ୍ୟାଚ୍‌  ଦିନ ଆଡିଲେଡ୍‌ର ପାଣିପାଗ କେମିତି ରହିବ ? କଣ ବର୍ଷା ବାଧକ ସାଜିବ ? କାରଣ ବିଶ୍ଵ କପ୍‌ରେ ଅନେକ ମ୍ୟାଚ୍‌ରେ ବର୍ଷାରେ ବାତିଲ୍ ହୋଇ ସାରିଛି।

ଆଡିଲେଡ୍‌ରେ ସୋମବାର ବର୍ଷା ହୋଇଛି ଏବଂ ମଙ୍ଗଳବାର ବି ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଆଉ ବୁଧବାର ବର୍ଷା ହେବାର ୬୦ ରୁ ୭୦ ପ୍ରତିଶତ ସମ୍ଭାବନା ରହିଛି। ଯଦି ବର୍ଷାରେ ମ୍ୟାଚ୍ ଧୋଇଯାଏ ଏହା ଭାରତ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିବ। ଭାରତ ପାଇଁ ଏହି ମ୍ୟାଚ୍  ଜିତିବା ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଭାରତ ଯଦି ମ୍ୟାଚ୍ ଜିତେ ତେବେ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଉଠିବ ଏବଂ ସେମି ଫାଇନାଲ୍‌ରେ ପହଞ୍ଚିବା ପ୍ରାୟତଃ ନିଶ୍ଚିତ ହୋଇଯିବ। ଭାରତ ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ଭେଟିବ। ବାଂଲାଦେଶର ବି ସେମି ଫାଇନାଲ୍‌ ଦୌଡରେ ରହିଛି।

ଭାରତ ନିଜର ପ୍ରଥମ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡକୁ ହରାଇଥିଲା। ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା। ଭାରତ ଗ୍ରୁପ ୨ରେ ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ଵେ, ନେଦରଲାଣ୍ଡ ଏବଂ  ବାଂଲାଦେଶ ସହ ରହିଛି। ଦକ୍ଷିଣ ଆଫ୍ରିକାର ସେମି ଫାଇନାଲ୍‌ରେ ପହଞ୍ଚିବା ପ୍ରାୟତଃ ସ୍ପଷ୍ଟ ଲାଗୁଛି। ତେବେ ପାଣିପାଗକୁ ଦେଖିଲେ ଲାଗୁଛି, ବୁଧବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳା ଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.