T20 World Cup 2021: ପାକିସ୍ତାନ ବିପକ୍ଷ ମହାମୁକାବିଲାରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ XI

Published By : Prameya-News7 Bureau | October 23, 2021 IST

ଦୁବାଇ ୨୩।୧୦:  ଭାରତ ଓ ପାକିସ୍ତାନ ମଧ୍ୟରେ ମହା ମୁକାବିଲାକୁ ଆଉ କେଇ ଘଣ୍ଟା ବାକି ରହିଛି। ସାରା ଦୁନିଆର କ୍ରିକେଟ୍ ପ୍ରଶଂସକ ଏହି ହାଇଭୋଲଟେଜ୍ ମୁକାବିଲାକୁ ଚାତକ ପରି ଚାହିଁ ରହିଛି। ଯଦି ବିଶ୍ଵ କପ୍‌ରେ ଉଭୟ ଦଳ ମୁହାଁମୁହିଁ ହେବା କଥା ଆସେ ତେବେ ମ୍ୟାଚ୍‌ର ରୋମାଞ୍ଚ ଆହୁରି ବଢିଯାଏ। ଆଉ କିଛି ଘଣ୍ଟା ପରେ ମ୍ୟାଚ୍ ଆରମ୍ଭ ହେବ। ମୁକାବିଲାର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ନିଜର ଦଳ ଘୋଷଣା କରି ସାରିଛି। ସେପଟେ ଭାରତୀୟ ଦଳ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ତାହା ଉପରେ ଏବେ ସଭିଙ୍କ ନଜର।

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାର୍ଗଦର୍ଶନ ଏବଂ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୧୩-୦ କରିବା  ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଦୁଇ ଦଳ ବିଶ୍ଵ କପରେ ଏ ପର୍ଯ୍ୟନ୍ତ ୧୨ ଥର ମୁହାଁମୁହିଁ ହୋଇଛନ୍ତି। ହେଲେ ପ୍ରତିଥର ଭାରତ ପାକିସ୍ତାନକୁ ମାତ୍ ଦେଇଛି। ଭାରତର ପାକ୍ ବିରୋଧୀ ବିଜୟ ଅଭିଯାନ ୧୯୯୨ ବିଶ୍ଵ କପରୁ ଆରମ୍ଭ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ବିରାଟ କୋହଲି ଏହି ମ୍ୟାଚ୍‌ର ମହତ୍ଵକୁ ବେଶ୍ ଭଲ ଭାବେ ଜାଣିଛନ୍ତି ଏବଂ ପୂରା ଶକ୍ତି ସହିତ ମଇଦାନକୁ ଓହ୍ଲାଇବ। ଦଳର ଶୀର୍ଷ ଏବଂ ମଧ୍ୟମ କ୍ରମ ପ୍ରାୟତଃ ସ୍ଥିର ହୋଇ ସାରିଛି ଏବଂ ଏଥିରେ ବିଶେଷ ପରିବର୍ତ୍ତନ ହେବାର ନାହିଁ।

ଦଳ ପକ୍ଷରୁ ଓପନିଂ କରିବେ ରୋହିତ ଶର୍ମା ଓ କେଏଲ ରାହୁଲ। ତୃତୀୟରେ ଖୋଦ୍ ଆସିବେ ଅଧିନାୟକ ବିରାଟ କୋହଲି। ନମ୍ବର ୪ ଏବଂ ୫ରେ ବ୍ୟାଟିଂ କରିବେ  ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତ। ଷଷ୍ଠରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିପାରେ। ହେଲେ ତାଙ୍କର ବୋଲିଂକୁ ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ହୋଇ ନାହିଁ। ବିରାଟ ପାକିସ୍ତାନ ବିରୋଧରେ ତିନି ସ୍ପିନର ଏବଂ ଦୁଇ ଜଣ ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇ ପାରନ୍ତି। ତେଣୁ ହୋଇପାରେ ଭୁବନେଶ୍ଵର କୁମାରଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିନପାରେ। ସ୍ପିନ ବିଭାଗରେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନିଶ୍ଚିତ  ଥିବା ବେଳେ ଅଭ୍ୟାସ୍ ମ୍ୟାଚ୍‌ରେ ଦମଦାର ବୋଲିଂ କରି ରବିଚନ୍ଦ୍ରନ ଅଶ୍ଵିନ ନିଜର ଦାବିଦାର ମଜବୁତ କରିଛନ୍ତି। ବିରାଟ କୋହଲି ଏହି ଦୁଇ ଜଣଙ୍କ ବ୍ୟତୀତ ନିଜର ଟ୍ରମ୍ପ କାର୍ଡ ବରୁଣ ଚକ୍ରବର୍ତ୍ତୀଙ୍କୁ ଏହି ବଡ ମୁକାବିଲାରେ ସୁଯୋଗ ଦେଇ ପାରନ୍ତି। ଦ୍ରୁତ ବୋଲିଂ ବିଭାଗ ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ହାତରେ ରହିବ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.