ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସ୍ପିନର ନିଭାଇ ପାରନ୍ତି ବଡ ଭୂମିକା, ଝାଳ ବୁହାଉଛନ୍ତି ସମ୍ସି ଓ ମହାରାଜ
6/06/2022 at 6:15 PM

ନୂଆଦିଲ୍ଲୀ; ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଜୁନ ୯ରେ ଦିଲ୍ଲୀରେ ଖେଳାଯିବ। ଉଭୟ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଭାରତ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ ସେସନରେ ଭାଗ ନେଇଛନ୍ତି। ଏହି ସମୟରେ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ କ୍ଵିଣ୍ଟନ ଡିକକ୍, ଅଲରାଉଣ୍ଡର ଆଡନ ମାରକ୍ରମ, ସ୍ପିନର ସମ୍ସି ତବରେଜ ଏବଂ କେଶବ ମହାରାଜ ନେଟରେ ଝାଳବୁହାଇଛନ୍ତି।
ତେମ୍ବା ବାଭୁମାଙ୍କ ନେତୃତ୍ଵାଧୀନ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ମୁକାବିଲାରେ ସ୍ପିନରଙ୍କ ଉପରେ ଅଧିକ ଗୁରୁତ୍ଵ ଦେଇପାରେ। ଭାରତୀୟ ପିଚକୁ ଦୃଷ୍ଟିରେ ରଖି କୋଚ୍ ମାର୍କ ବାଉଚର ସ୍ପିନଙ୍କ ଜରିଆରେ ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ମାରକ୍ରମ, ସମ୍ସି ଏବଂ କେଶବଙ୍କ ତ୍ରିମୂର୍ତ୍ତି ସିରିଜରେ ବଡ ଭୂମିକା ଗ୍ରହଣ କରି ପାରନ୍ତି। ନେଟ୍ସରେ ଖେଳାଳିଙ୍କ ଅଭ୍ୟାସ୍ ଭଲ ରହିଛି।
CAUTION ⚠️ #Proteas at work #INDvSA #BePartOfIt pic.twitter.com/gxtcsZFa0Z
— Cricket South Africa (@OfficialCSA) June 3, 2022
ପାଞ୍ଚ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୁତ ବୋଲର ଓ୍ଵେନ ପାର୍ନେଲ୍ ଏବଂ ଅଲରାଉଣ୍ଡର ରସି ଭାନ ଡର ଡସେନ ଝାଳବୁହା ଅଭ୍ୟାସ କରିଛନ୍ତି। ଦଳର ପ୍ରାୟ ଖେଳାଳି ଭାରତୀୟ ପରିସ୍ଥିତି ସହ ସଂପୂର୍ଣ୍ଣ ଖାପ ଖୁଆଇ ନେଇଛନ୍ତି। ଦଳ କ୍ଵିଣ୍ଟନ ଡିକକ ଏବଂ ଡେଭିଡ୍ ମିଲରଙ୍କଠୁ ବହୁତ ଆଶା ରଖିଛି।
ଦକ୍ଷିଣ ଆଫ୍ରିକା ଏହା ପୂର୍ବରୁ ଦୁଇ ଥର ୨୦୧୫ ଏବଂ ୨୦୧୯ରେ ଭାରତରେ ଟି-୨୦ ସିରିଜ୍ ଖେଳି ସାରିଛି। ଭ୍ରମଣକାରୀ ଦଳ ୨୦୧୫ରେ ୨-୦ରେ ସିରିଜ ଜିତିଥିଲା ଏବଂ ୨୦୧୯ରେ ୧-୧ରେ ସିରିଜ ଡ୍ର ରହିଥିଲା। ଏ ପର୍ଯ୍ୟନ୍ତ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ଟି ମ୍ୟାଚ୍ ଖେଳି ଗୋଟିଏ ଜିତି ପାରିଛି। କିନ୍ତୁ ବିଦେଶ ମାଟିରେ ଭାରତ ୫ ମ୍ୟାଚରୁ ୪ଟି ଜିତିଛି।