T20 Rankings: ବାବରଙ୍କୁ ପଛରେ ପକାଇ ଏକ ନମ୍ବର ଟି-୨୦ ବ୍ୟାଟସମ୍ୟାନ ହେଲେ ମହମ୍ମଦ ରିଜଓ୍ଵାନ, ଟପ୍-୧୦ରେ ମାତ୍ର ଜଣେ ଭାରତୀୟ
7/09/2022 at 5:13 PM

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଭାରତୀୟ ଦଳ ପ୍ରାୟତଃ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛି। ପାକିସ୍ତାନ ଦଳ ଫାଇନାଲ୍ରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟି-୨୦ ମାନ୍ୟତା ଜାରି କରିଛି। ବ୍ୟାଟସମ୍ୟାନ ମାନ୍ୟତାରେ ଏକ ନମ୍ବରରେ ଥିବା ବାବର ଆଜମ ତଳକୁ ଖସିଛନ୍ତି।
ଆଇସିସିର ତାଜା ମାନ୍ୟତା ଅନୁସାରେ ପାକିସ୍ତାନର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ଵାନ ଶୀର୍ଷ ସ୍ଥାନକୁ ଉଠିଛନ୍ତି। ରିଜଓ୍ଵାନଙ୍କ ରେଣ୍ଟିଂ ପଏଣ୍ଟ ୮୧୫ ରହିଛି, ଯାହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା। ଏସିଆ କପରେ ଅଦ୍ୟାବଧି ରିଜଓ୍ଵାନ ସର୍ବାଧିକ ରନ କରିଛନ୍ତି। ମାତ୍ର ୩ଟି ମ୍ୟାଚ୍ରେ ସେ ୧୯୨ ରନ କରିଛନ୍ତି। ଭାରତ ବିପକ୍ଷରେ ସେ ଦଳ ପାଇଁ ୭୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏଥିରେ ତାଙ୍କର ଟି-୨୦ ମାନ୍ୟତାରେ ଖୁବ୍ ଫାଇଦା ମିଳିଛି। ପାକିସ୍ତାନର ଅଧିନାୟକ ବାବର ଆଜମ ୭୯୪ ରେଟିଂ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନକୁ ଖସିଛନ୍ତି।
ଟି-୨୦ରେ ଟପ୍-୧୦ ବ୍ୟାଟସମ୍ୟାନ ତାଲିକାରେ ସୂର୍ଯ୍ୟକୁମାର ଯାଦବ ହିଁ ଏକ ମାତ୍ର ଭାରତୀୟ ବ୍ୟାଟସମ୍ୟାନ ଅଛନ୍ତି। ସେ ୭୭୫ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି। ଟପ୍-୫ରେ ମହମ୍ମଦ ରିଜଓ୍ଵାନ, ବାବର ଆଜମ, ଆଡମ ମାରକ୍ରମ, ସୂର୍ଯ୍ୟକୁମାର ଯାଦବ ଏବଂ ଡେଭିଡ୍ ମଲାନ ସାମିଲ୍।
ସୂର୍ଯ୍ୟକୁମାର ଯାଦବଙ୍କ ପରେ ଅଧିନାୟକ ରୋହିତ ଶର୍ମା ତିନୋଟି ସ୍ଥାନ ଉନ୍ନତି ଘଟାଇ ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ବିରାଟ କୋହଲି ୫୪୨ ରେଟିଂ ସହ ୨୯ତମ ସ୍ଥାନରେ ଅଛନ୍ତି। ବୋଲିଂ ମାନ୍ୟତା ଉପରେ ନଜର ପକାଇଲେ ଟପ୍-୧୦ରେ କୌଣସି ଭାରତୀୟ ବୋଲର ନାହାନ୍ତି। ଅଲରାଉଣ୍ଡର ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମରେ ଏକ ମାତ୍ର ଭାରତୀୟ ଖେଳାଳି ରହିଛନ୍ତି।
ଯଦି ଦଳଗତ ମାନ୍ୟତା ଉପରେ ନଜର ପକାଇବା ତେବେ ଟି-୨୦ରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଦଳର ରେଟିଂ ପଏଣ୍ଟ ୨୬୮ ରହିଥିବା ବେଳେ ଦ୍ଵିତୀୟରେ ଥିବା ଇଂଲଣ୍ଡର ରେଟିଂ ପଏଣ୍ଟ ୨୬୨ ରହିଛି। ପାକିସ୍ତାନ ୨୬୨ ରେଟିଂ ପଏଣ୍ଟ ସହ ନମ୍ବର ୩ରେ ରହିଛି।