T20 Ranking: ନୂତନ ଶିଖରରେ ପହଞ୍ଚିଲେ ସୂର୍ଯ୍ୟକୁମାର ଯାଦବ, ଶୀର୍ଷ ସ୍ଥାନ ବଜାୟ ରଖିଲେ, ଖସିଲେ କୋହଲି ଏବଂ ଆଜମ

Published By : Prameya-News7 Bureau | November 23, 2022 IST

ନୂଆଦିଲ୍ଲୀ: ସଂପ୍ରତି ଅନ୍ତର୍ଜାତୀୟ ଟି-୨୦ରେ ସୂର୍ଯ୍ୟକୁମାର ଯାଦବଙ୍କ ଦବଦବା ଜାରି ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଜାରି ସଦ୍ୟତମ ଟି-୨୦ ବ୍ୟାଟିଂ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ରେ ସୂର୍ଯ୍ୟ ୧୧୧ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିଲେ। ନିଜର ଦମଦାର ପ୍ରଦର୍ଶନ ବଳରେ ସୂର୍ଯ୍ୟଙ୍କୁ ୩୧ ରେଟିଂ ପଏଣ୍ଟ ମିଳିଛି। ଏହାକୁ ମିଶାଇ ତାଙ୍କର ପଏଣ୍ଟ ୮୯୦ରେ ପହଞ୍ଚିଛି। ଏଥିସହ ସୂର୍ଯ୍ୟକୁମାର ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ରେଟିଂ ହାସଲ କରିଛନ୍ତି।

ମହମ୍ମଦ ରିଜଓ୍ଵାନଙ୍କଠୁ ବର୍ତ୍ତମାନ ସେ ୫୪ ପଏଣ୍ଟ ଆଗରେ ଅଛନ୍ତି। ଅନ୍ୟପକ୍ଷେ ରିଜଓ୍ଵାନ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଦଳର ନେତୃତ୍ଵ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ମାନ୍ୟତାରେ ଶୀର୍ଷ ୫୦ରେ ପ୍ରବେଶ କରିଛନ୍ତି। ପାକିସ୍ତାନର ଅଧିନାୟକ ବାବର ଆଜମ ୭୭୮ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୁଇଟି ସ୍ଥାନ ତଳକୁ ଖସି ୧୩ତମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ଡେଭନ କନଓ୍ଵେ ତୃତୀୟ ସ୍ଥାନରେ ଅଛନ୍ତି। କନଓ୍ଵେ ଭାରତ ବିପକ୍ଷ  ଟି-୨୦ ସିରିଜର ୨ଟି ମ୍ୟାଚ୍‌ରେ ୮୪ ରନ କରିଥିଲେ।

wp:html /wp:html

ବୋଲିଂରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ଵର କୁମାର ଦୁଇଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅର୍ଶଦୀପ ୨୧ମ ସ୍ଥାନରେ ରହିଥିବା ବେଳେ ୟୁଜବେନ୍ଦ୍ର ଚହଲ ୪୦ତମ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ଇଶାନ କିଷନ ୧୦ଟି ସ୍ଥାନ ଉପରକୁ ଉଠି  ୩୩ତମ, ଗ୍ଲେନ ଫିଲିପ୍ସ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ସପ୍ତମ ଏବଂ କେନ ଓ୍ଵିଲିୟମସନ ପାଞ୍ଚଟି ସ୍ଥାନ ଉପରକୁ ଉଠି ୩୫ତମ ସ୍ଥାନରେ ପହଞ୍ଚିଛନ୍ତି। ଟି-୨୦ ମାନ୍ୟତାରେ ଶୀର୍ଷ ୧୦ ବୋଲରରେ କୌଣସି ପରିବର୍ତ୍ତନ ଘଟିନାହିଁ। ତେବେ ଭାରତର ଅନୁଭବୀ ବୋଲର ଭୁବନେଶ୍ଵର କୁମାର ଏବଂ ନ୍ୟୁଜିଲାଣ୍ଡର ଟିମ୍ ସାଉଦି ଦୁଇଟି ସ୍ଥାନ ଉପରକୁ  ଉଠି ଶୀର୍ଷ ୧୦ର ନିକଟତର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.