ମକର ସଂକ୍ରାନ୍ତିରେ ଅଘଟଣ: ଟି ବ୍ରିଜ୍‌ରେ ଦଳାଚକଟା; ଜଣେ ମୃତ

Published By : Prameya-News7 Bureau | January 14, 2023 IST

ବାଙ୍କି ୧୪/୧୦: ଟି ବ୍ରିଜ୍‌ ଉପରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ହୋଇଛି। ପ୍ରବଳ ଗହଳି ପାଇଁ ଦଳାଚକଟା ମଧ୍ୟରେ ଅଣନିଶ୍ୱାସି ହୋଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମକର ସଂକ୍ରାନ୍ତି ପାଇଁ ସିଂହନାଥ ପିଠକୁ ଯିବାବେଳେ ଏହି ଅଘଟଣା ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଏବେ ବଡ଼ମ୍ୱା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସାଧାରଣ ଲୋକ ଏନେଇ ପୋଲିସ ଏବଂ ପ୍ରଶାସନକୁ ଦୋଷାରପ କରିଛନ୍ତି। ଘଟଣା ସ୍ଥଳରେ ମାତ୍ର ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ। ଏହି ଅଘଟଣରେ ମୃତାହତ ମହିଳାଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ନବୀନ ପଟ୍ଟନାୟକ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ସ୍ୱଳ୍ପ ସଂଖ୍ୟକ ପୋଲିସ କାରଣରୁ ଏପରି ପରିସ୍ଥିତି ହୋଇଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି। ଆଶାତୀତ ଲୋକ ଆସିଯିବାରୁ ଭିଡ଼ ହୋଇଗଲା ବୋଲି ସ୍ଥାନୀୟ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି। ସେପଟେ ଏପରି ଦଳାଚକଟାରୁ ବର୍ତ୍ତିବା ପାଇଁ କିଛି ପୋଲ ତଳକୁ ଡେଇଁ ପଡ଼ିଥିବା କୁହାଯାଇଛି। ସଂକିର୍ଣ୍ଣ ପୋଲରେ ଅଧିକ ଲୋକ ସମାଗମ ହେବାରୁ ଏପରି ପରିସ୍ଥିତି ହୋଇଥିବା କୁହାଯାଇଛି। ସେଠାରେ ଦେଢ଼ ଲକ୍ଷରୁ ୨ ଲକ୍ଷ ଜନସମାଗମ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ମହିଳା ଏବଂ ଛୋଟପିଲା ରହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ଭିଡ଼ ନିୟନ୍ତ୍ରଣ ପାଇଁ ଚେଷ୍ଠା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.