National cow exam ଲାଗି ମନେ ରଖନ୍ତୁ- ଦେଶୀ ଗାଈ ଖୀରରେ ଅଛି ସୁନା, ଗୋ ହତ୍ୟା ଯୋଗୁ ହେଉଛି ଭୂମିକମ୍ପ !

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୬।୧: ଦେଶୀ ଗାଈଙ୍କ ଖୀରରେ ସୁନାର ଅଂଶ ରହୁଛି.. ଗୋ ହତ୍ୟା ଯୋଗୁ ଭୂମିକମ୍ପ ହୁଏ ! ଦେଶରେ ଗୋ ସଂରକ୍ଷଣ ଲାଗି ସ୍ଥାପିତ ଜାତୀୟ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ନ୍ୟାସନାଲ କାଓ ଏକଜାମ ଲାଗି  ସିଲାବସରେ ଏପରି ଅନେକ କିଛି ଅଛି। ସାରା ଦେଶରେ ଫେବୃଆରୀ ୨୫ ତାରିଖ ଦିନ ଏହାର ପ୍ରଥମ ଅନଲାଇନ ପରୀକ୍ଷା ହେବାକୁ ଯାଉଛି। ଏଣୁ ଏଥିଲାଗି ପରୀକ୍ଷାର୍ଥୀଙ୍କୁ ସିଲାବସର ଏପରି କ୍ରମ ଅନୁସରଣ କରିବାକୁ ହେବ।   

ଜାତୀୟ କାମଧେନୁ ଆୟୋଗଙ୍କ ସିଲାବସରେ ଅନେକ ବର୍ଷଧରି ଗାଈମାନଙ୍କୁ ହତ୍ୟା କରାଯାଉଥିବାରୁ ସେମାନଙ୍କ ଚିତ୍କାରରୁ ହେଉଥିବା କମ୍ପନରେ ଲହର ସୃଷ୍ଟି ହେବା ଯୋଗୁ ଭୂ ପୃଷ୍ଠରେ ଏହାର ପ୍ରଭାବ ପଡୁଛି ବୋଲି ଉଲ୍ଲେଖ ରହିଛି। ସେହିପରି ଗାଈ ଗୋବର ଯୋଗୁ ହାନିକାରକ ଗ୍ୟାସ ପ୍ରଭାବହୀନ ହୁଏ ବୋଲି ପ୍ରମାଣ କରିବାକୁ ୧୯୮୪ ଭୋପାଲ ଗ୍ୟାସ୍‌ ଦୁର୍ଘଟଣାର ଇତିହାସ ଅବତାରଣ କରାଯାଇଛି। ଏହି ଦୁର୍ଘଟଣାରେ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ସିଲାବସ୍‌ରେ ଗାଈ ଗୋବର ଲିପା ଘରେ ରହୁଥିବା ଲୋକେ ଏହି ଗ୍ୟାସ୍‌ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ବୋଲି ଉଲ୍ଲେଖ ରହିଛି।

ଏଥିରେ ଦେଶୀ ଓ ଅନ୍ୟ ଶଙ୍କର ଗାଈଙ୍କ ପ୍ରଭେଦ ମଧ୍ୟ ଦର୍ଶାଯାଇଛି। ଯେଉଁଥିରେ ଦେଶୀଗାଈ ଅଧିକ ବୁଧିମାନ ଓ ଶଙ୍କର ପ୍ରଜାତୀ ଗାଈ ଅଳସୁଆ ହୋଇଥିବାରୁ ରୋଗ ଗ୍ରସ୍ତ ହେବାର ଅନେକ ସମ୍ଭାବନା ଥିବାର କୁହାଯାଇଛି। ଅଧିକାରୀଙ୍କ ଅନୁସାରେ କାମଧେନୁ ଗୋ ବିଜ୍ଞାନ ପ୍ରଚାର ଓ ପ୍ରସାର ଲାଗି ପରୀକ୍ଷାର୍ଥୀଙ୍କୁ ସିଲାବସ ଆଧାରରେ ଅନେକ ବିକଳ୍ପ ପ୍ରଶ୍ନ ଦିଆଯିବ। ଏହି ପରୀକ୍ଷା ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ କଲେଜ ଛାତ୍ରଛାତ୍ରୀଙ୍କ ଲାଗି ପୃଥକ ଅନୁଷ୍ଠିତ ହେବ। ଯେଉଁ ପରୀକ୍ଷାର୍ଥୀ ପରୀକ୍ଷାରେ ଉତୀର୍ଣ୍ଣ ହେବେ ତାଙ୍କୁ ଗୋ ବିଶେଷଜ୍ଞ ସାର୍ଟିଫିକେଟ ପ୍ରଦାନ କରାଯିବ।

ଏ ନେଇ ଜାତୀୟ କାମଧେନୁ ଆୟୋଗଙ୍କ ପକ୍ଷାରୁ ଜାରି ବିଜ୍ଞପ୍ତିରେ ଏହି ଅଭିଯାନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟମାନଙ୍କର ଶିକ୍ଷାମନ୍ତ୍ରୀ, ସବୁ ରାଜ୍ୟଙ୍କ ଗୋ ସେବା ଆୟୋଗ, ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବିଦ୍ୟାଳୟଙ୍କ ପ୍ରଧାନଶିକ୍ଷକ, ଗଣମାଧ୍ୟମ, ଏନଜିଓ ଏବଂ ଗୋଦାନ କର୍ତ୍ତାମାନେ ସାମିଲ ହେବେ ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.