୧୪ ବର୍ଷର ପରିଶ୍ରମକୁ ମିଳିଳା ସଫଳତା, ବଜାରକୁ ଆସିଲା ପ୍ରଥମ ଉଡ଼ନ୍ତା କାର୍‌ ସ୍ୱିଚ୍‌ବ୍ଲେଡ୍‌

Published By : Prameya-News7 Bureau | August 17, 2022 IST

ନୂଆଦିଲ୍ଲୀ ୧୭/୦୮: ବିଜ୍ଞାନ ଓ କାଳ୍ପନିକ ଫିଲ୍ମରେ ଦେଖିଥିବା ଉଡ଼ନ୍ତା କାର୍‌ ଏବେ ସତରେ ରୂପାନ୍ତରିତ ହୋଇଛି । ଏବେ ଆପଣ ଉଡ଼ନ୍ତା କାର୍‌ କିଣିପାରିବେ । ଅର୍ଥାତ୍‌ ଏହି କାର୍‌ ରାସ୍ତାରେ ଯିବା ସହିତ ଆକାଶରେ ବି ଉଡ଼ିବ । ଆମେରିକା ବଜାରକୁ ଆସିଛି ପ୍ରଥମ ଉଡ଼ନ୍ତା କାର୍‌ ସ୍ୱିଚ୍‌ବ୍ଲେଡ୍‌ । ବଜାର ପ୍ରବେଶ ହେଉ ହେଉ ହଜାର ହଜାର ସଂଖ୍ୟାରେ ଲୋକେ ଏହାକୁ ବୁକ୍‌ କରିଛନ୍ତି । ଏହାର ନିର୍ମାତା ହେଉଛି ସାମ୍‌ସନ୍‌ ସ୍କାଇ ।

ଦୀର୍ଘ ୧୪ ବର୍ଷର ପରିଶ୍ରମ ପରେ କମ୍ପାନିର ଉଡ଼ନ୍ତା କାର୍‌ ପ୍ରୋଜେକ୍ଟ ସଫଳ ହୋଇଛି । ଉଡ଼ାଣ ନିମନ୍ତେ କମ୍ପାନିକୁ ଫେଡେରାଲ ଆଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ (ଏଫ୍‌ଏଏ) ପକ୍ଷରୁ ଅନୁମତି ମିଳିଛି । ସମସ୍ତ ସୁରକ୍ଷାମୂଳକ ପରୀକ୍ଷାରେ ସ୍ୱିଚ୍‌ବ୍ଲେଡ୍‌ ପାସ୍‌ କରିଛି । ଗୋଟିଏ ବଟନ୍‌ ଦବାଇବାର ମାତ୍ର ୩ ମିନିଟ୍‌ ମଧ୍ୟରେ ଦ୍ରୁତ ବେଗର ଏହି ୩ ଚକିଆ ସ୍ପୋର୍ଟସ କାର୍‌ ବିମାନରେ ରୂପାନ୍ତରିତ ହୋଇଯିବ ।

ଏଫ୍‌ଏଏ ପ୍ରମାଣପତ୍ର ଓ ଆମେରିକା ବଜାରରେ ବିକ୍ରି ପାଇଁ ଉପଲବ୍ଧ ପ୍ରଥମ ଉଡ଼ନ୍ତା କାର୍‌ ହୋଇଛି ସ୍ୱିଚ୍‌ବ୍ଲେଡ୍‌ । ଏହାର ଏକ ପ୍ରତ୍ୟାହାରଯୋଗ୍ୟ ଲାଞ୍ଜ ଓ ମୋଡ଼ିହେବା ଯୋଗ୍ୟ ଡେଣା ରହିଛି । ଘଣ୍ଟା ପ୍ରତି ୩୨୧ କିମି ବେଗରେ ୧୬,୦୦୦ ଫୁଟ ଉଚ୍ଚରେ ଉଡ଼ିବାରେ ଏହା ସକ୍ଷମ । ତେବେ ରାସ୍ତାରେ ଘଣ୍ଟା ପ୍ରତି ଶୀର୍ଷ ୨୦୧ ବେଗରେ ଏହା ଗତି କରିପାରେ ।

ଏକ ଜଟିଳ ହାଇବ୍ରିଡ୍‌ ଇଲେକ୍ଟ୍ରିକ୍‌ ପାୱାର୍‌ଟ୍ରେନ୍‌ ଦ୍ୱାରା ଚାଳିତ ସ୍ୱିଚ୍‌ବ୍ଲେଡ୍‌ରେ ୧୯୦ ହର୍ସପାୱାରଯୁକ୍ତ ୧.୬ ଲଟରଯୁକ୍ତ ପେଟ୍ରୋଲ ଇଞ୍ଜିନ୍‌ ରହିଛି । ଏକ ଇଲେକ୍ଟ୍ରିକ୍‌ ପ୍ରପ୍‌ ମୋଟର ବି ଲାଗିଛି । ୩ ଚକିଆ ହୋଇଥିବାରୁ ଏହାକୁ ଏକ ମୋଟରସାଇକେଲ ରୂପେ ପଞ୍ଜୀକୃତ କରାଯାଇପାରେ, ଯାହା ୯୧ ଅକ୍ଟେନ୍‌ ଗ୍ୟାସ୍‌ରେ ଚାଲିବାରେ ସକ୍ଷମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.