ଚାଲିଛି ଛଟେଇ ପର୍ବ, ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ସ୍ୱିଗି

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ ୨୦/୦୧: ବିଶ୍ୱରେ ଘନେଇବାରେ ଲାଗିଛି ଆର୍ଥିକ ମାନ୍ଦାବସ୍ଥା । ଏଥିପାଇଁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଉଛନ୍ତି । ଗତ କିଛି ଦିନ ମଧ୍ୟରେ ଆମାଜନ, ଟ୍ୱିଟର, ଗୁଗୁଲ ଏବଂ ମାଇକ୍ରୋସଫ୍ଟ  ନିଜ କର୍ମଚାରୀଙ୍କୁ ଛଟେଇ କରିବା ପରେ ଏବେ ଖାଦ୍ୟ ବିତରଣ କମ୍ପାନୀ ସ୍ୱିଗି ମଧ୍ୟ ଏହି ରାସ୍ତାରେ ଆଗେଇଛି । ଏବେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି କମ୍ପାନୀ ।

ନିକଟରେ ସ୍ବିଗି ଘୋଷଣା କରିଛି ଯେ କମ୍ପାନୀ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ । ଯାହା ଫଳରେ ଅନେକ ସେବା ପ୍ରଭାବିତ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ସ୍ବିଗିର ଆଗାମୀ ଛଟେଇ ଉତ୍ପାଦ, ଇଞ୍ଜିନିୟରିଂ ଏବଂ ଅପରେସନ୍ ପରି ବିଭାଗ ପ୍ରଭାବିତ ହେବାର  ସମ୍ଭାବନା ରହିଛି । ତେବେ ଏଥିରେ କମ୍ପାନୀର ବାଣିଜ୍ୟ ବିତରଣ ସେବା ଇନଷ୍ଟାମାର୍ଟକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।

ଡିସେମ୍ବରରେ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଥିଲା କି କମ୍ପାନୀ ଜାନୁଆରୀରେ ୨୫୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ କିମ୍ବା ଏହାର 5 ପ୍ରତିଶତ ଶ୍ରମିକଙ୍କୁ ଛଟେଇ କରିବ । ସୂଚନାନୁସାରେ, ଅକ୍ଟୋବରର କାର୍ଯ୍ୟଦକ୍ଷତାକୁ ଦେଖିଲେ, ଆଗକୁ ଛଟେଇ କର୍ମଚାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାକୁ ଯାଉଛି । କମ୍ପାନୀରେ ପ୍ରାୟ ଛଅ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି ।

ସ୍ୱିଗିର ପୂର୍ବ ବିବୃତ୍ତିରେ ଅନୁଯାୟୀ, କମ୍ପାନୀର ଛଟେଇ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଆଧାରିତ ହେବ । ଅନ୍ୟପଟେ ୨୦୨୨ବର୍ଷରେ କମ୍ପାନୀର କ୍ଷତି ଦ୍ୱିଗୁଣିତ ହୋଇଛି  । ପୂର୍ବ ଆର୍ଥିକ ବର୍ଷରେ ୧୬୧୭ କୋଟି ତୁଳନାରେ ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ୩,୨୬୯ କୋଟି ଟଙ୍କାର କ୍ଷତି ହୋଇଛି । ରେଜିଷ୍ଟ୍ରାର୍ ଅଫ୍ କମ୍ପାନୀର ବାର୍ଷିକ ଆର୍ଥିକ ବିବରଣୀ ଅନୁଯାୟୀ, ପୂର୍ବବର୍ଷ ମୋଟ ଖର୍ଚ୍ଚ ୧୩୧ ପ୍ରତିଶତ ବୃଦ୍ଧି ହୋଇ ୯,୫୭୪.୫ କୋଟି ଟଙ୍କା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.