ପରୀ ବିବାଦ ଥମିନି ଏବେ ସ୍ଵାତୀ ନିଖୋଜ, ସକାଳୁ ସନ୍ଧ୍ୟା ଟପିଲା ସୁରାକ ମିଳୁନି, ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ

Published By : Prameya-News7 Bureau | December 12, 2020 IST

ଭୁବନେଶ୍ଵର/ନୟାଗଡ ୧୨।୧୨: ପରୀ ହତ୍ୟାକାରୀକୁ ଧରିବାକୁ ଆନ୍ଦୋଳନ ଚାଲିଛି । ଆଉ ଏପଟେ ସେହି ନୟାଗଡରୁ ପୁଣି ଏକ ଶିଶୁ ନିଖୋଜ। ନୟାଗଡ ରଣପୁର ଥାନା ବଧିପାଟଣା ଗାଁର ତିନି ବର୍ଷର ଶିଶୁ ଗତକାଲି ଖେଳୁଥିବା ବେଳେ ଅପରାହ୍ନରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଗଁ।ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଯାଜପୁର ମଧୁସୁଦନପୁର ଗାଁରୁ ୫ ମାସ ତଳୁ ନିଖୋଜ ଶିଶୁ ପିହୁ ଗାଁରେ ପହଞ୍ଚିଛି କଂଗ୍ରେସର ଏକ ପ୍ରତିନିଧି ଦଳ । ପିହୁ ପରିବାର ଓ ଏସ୍‌ପିଙ୍କୁ ଭେଟି ଆଲୋଚନା କରିଛନ୍ତି।.

ନୟାଗଡରୁ ପୁଣି ଜଣେ ୩ବର୍ଷର ଶିଶୁ ନିଖୋଜ ।  ପରୀ ହତ୍ୟାକାରୀକୁ ଧରିବାରେ ବିଫଳ ନୟାଗଡ ପୋଲିସକୁ ପୁଣି ଏକ ଚ୍ୟାଲେଞ୍ଜ । ରଣପୁର ବଧିପାଟଣା ଗଁ।ର ସଞୟ ସାହୁଙ୍କ  ୩ ବର୍ଷର ଝିଅ ସ୍ବାତୀ କେଉଁଆଡେ ନିଖୋଜ ହୋଇଯାଇଛି। ସଞ୍ଜୟଙ୍କର ଦୁଇଟି ଯାଆଁଳା ଝିଅ ମଧ୍ୟରୁ ସ୍ବାତୀ ସାନ । ଦିନ ଦୁଇଟା ସମୟରେ ସ୍ବାତୀ ତାର ଅନ୍ୟ ଭାଇ ଭଉଣୀଙ୍କ ସହ ଘର ବାଡିପଟେ ଖେଳୁଥିବା ତାର ବଡବାପା ଦେଖିଥିଲେ। ପରେ ସ୍ବାତୀ ଦାଣ୍ଡପଟକୁ ଚାଲିଆସିଥିଲା । ତେବେ କିଛି ସମୟ ପରେ ବଡବାପା  ସ୍ବାତୀକୁ ଖୋଜିବାବେଳକୁ ସେ ମିଳିନଥିଲା। 

ଗତକାଲି ଗାଁରେ ଦୁଇଟି ବାହାଘର ଏବଂ ଗୋଟିଏ ଦଶାହ ଭୋଜି ଥିଲା । ଏଥିପାଇଁ ଗଁ।ରେ ଗହଳି ଥିଲା । ଏହା ସହିତ ଗତକାଲି ଗାଁକୁ ୫ଜଣ ବାହାର ଲୋକ କମ୍ବଳ ବିକିବାକୁ ଆସିଥିଲେ। ସ୍ବାତୀର ମା ସେମାନଙ୍କ ଠାରୁ କମ୍ବଳ କିଣିଥିଲେ । ପୂର୍ବରୁ ସେହି ଫେରିବାଲାମାନଙ୍କୁ  ଗଁ। ଲୋକ କେବେ ଦେଖିନଥିଲେ। ତେଣୁ ସେମାନଙ୍କ ଉପରେ ଲୋକଙ୍କ ସନ୍ଦେହ ଆସିଛି।

ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ସନ୍ଧ୍ୟାରେ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ । ରଣପୁର ପୋଲିସ ରାତିରେ ଗଁ।କୁ ଯାଇ ତଦନ୍ତ ଆରମ୍ଭ କରିଛି । ଦମକଳ କର୍ମଚାରୀଙ୍କୁ ଡାକି ଗାଁର ବିଭିନ୍ନ ପୋଖରୀ ଏବଂ କୁଅରେ ଖୋଜାଖୋଜି କରାଯାଇଥିଲେ ବି ଶିଶୁର କୌଣସି ପତ୍ତା ମିଳିନାହିଁ। ସନ୍ଦେହରେ ଥିବା କମ୍ବଳ ବେପାରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ସେପଟେ ଜିଲ୍ଲାରେ ପିଲା ଚୋରି ରାକେଟ୍ ଚାଲିଛି ଏବଂ ସେମାନଙ୍କୁ ଧରିବାକୁ ଦାବି କରିଛି ଜିଲ୍ଲା ବିଜେପି । ପରୀ ହତ୍ୟାକାରୀକୁ ଧରିବାକୁ ବିରୋଧୀ ଦଳ ଆନ୍ଦୋଳନ ଚଳାଇଥିବାବେଳେ ପୁଣି ଜଣେ ଶିଶୁ ନିଖୋଜ ଘଟଣା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି।

ସେପଟେ ଯାଜପୁର ମଧୁସୂଦନପୁର ଗାଁରୁ ଦୀର୍ଘ ୫ ମାସତଳୁ ନିଖୋଜ ଶିଶୁ ପିହୁ ଗାଁରେ ପହଞ୍ଚିଥିଲା କଂଗ୍ରେସର ଏକ ପ୍ରତିନିଧି ଦଳ। ଏହି ଟିମ ପିହୁଙ୍କ ବାପା ମାଙ୍କୁ ଭେଟି ପିହୁର ନିଖୋଜ ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ପୋଲିସର ନିଷ୍କ୍ରିୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ନିଖୋଜ ପିହୁର ଖବର ପଦାକୁ ଆଣିବାକୁ ଦାବି କରିଛନ୍ତି ଗାଁ ଲୋକେ । ତେବେ ପିହୁ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଘଟଣା ଉପରେ ନଜର ରଖିବ ଓ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି। ଏହି ଟିମ୍ ଯାଜପୁର ଏସ୍ପିଙ୍କୁ ଭେଟି ଆଲୋଚନା କରିଥିଲେ।

ରାଜ୍ୟରେ ଶିଶୁ ନିଖୋଜ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକୁ ନେଇ ବିରୋଧୀ ହୋହାଲ୍ଲା ଚଳାଇଛନ୍ତି । ଜଗତସିଂହପୁର ଶିଶୁ ପିହୁର ନିଖୋଜ ପରେ ନୟାଗଡରୁ ଶିଶୁ ସ୍ବାତୀ ନିଖୋଜ ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.