ଅସଦାଚରଣ ଅଭିଯୋଗର ନିରପେକ୍ଷ ତଦନ୍ତ ଲାଗି ଶ୍ୱାତୀ ମାଲିୱାଲଙ୍କୁ ପଦରୁ ହଟାଯାଉ: ଦିଲ୍ଲୀ ବିଜେପି
21/01/2023 at 6:33 PM

ନୂଆଦିଲ୍ଲୀ ୨୧।୧: ଭାରତୀୟ ଜନତା ପାର୍ଟି (ବିଜେପି) ଦିଲ୍ଲୀ ୟୁନିଟ୍ ଶନିବାର ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲଙ୍କ ପଦରୁ ହଟାଇବାକୁ ଦାବି କରିଛି। ଗୁରୁବାର ରାତିରେ ମାଲିୱାଲ ଏମସ୍ ୨ ନମ୍ବର ଗେଟ୍ରେ ଛିଡା ହୋଇଥିବା ବେଳେ ଜଣେ ଟ୍ୟାକ୍ସି ଚାଳକ ତାଙ୍କ ପ୍ରତି ଅସଦାଚରଣ କରିଥିବାର ସେ ଅଭିଯୋଗ କରିଛନ୍ତି। ମାମଲାରେ ପୋଲିସ ଟ୍ୟାକ୍ସି ଚାଳକ ହରିଶ୍ଚନ୍ଦ୍ର (୪୭)କୁ ଗିରଫ କରିଛି। ତେବେ ମାମଲାର ନିରପେକ୍ଷା ତଦନ୍ତ ଲାଗି ମାଲିୱାଲଙ୍କୁ ପଦରୁ ହଟାଯିବା ଦରକାର ବୋଲି ଦିଲ୍ଲୀ ବିଜେପି ଦାବି କରିଛି।
ଏହି ମର୍ମରେ ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନାଙ୍କୁ ଏକ ପତ୍ର ଲେଖିଥିବା ବେଳେ ଅନୁନ୍ୟ ମାମଲାର ପୋଲିସ ତଦନ୍ତ ଚାଲିଥିବା କାଳରେ ମାଲିୱାଲଙ୍କୁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପଦରୁ ନିଲମ୍ବିତ କରିବାକୁ ନିବେଦନ କରିଛନ୍ତି। ଏହା ଦ୍ୱାରା ମାମଲାର ନିରପେକ୍ଷ ଯାଞ୍ଚ ହୋଇପାରିବ ବୋଲି କପୁର ପତ୍ରରେ ଉଲ୍ଲେଖ କରିଛନ୍ତି। କପୁର କହିଛନ୍ତି ଯେ ସମସ୍ତେ ଘଟଣାର ନିନ୍ଦା କରୁଛନ୍ତି। ତେବେ ସନ୍ତୋଷଜନକ କଥା ହେଉଛି ଅଭିଯୋଗ ମିଳିବାମାତ୍ରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ କାର ଚାଳକକୁ ଗିରଫ କରିଛି।

ତେବେ ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଉପଲବ୍ଧ ଖବର ଅନୁସାରେ ଅସଦାଚରଣ କରିଥିବା ଅଭିଯୁକ୍ତ ହରିଶ୍ଚନ୍ଦ୍ର ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି (ଆପ)ର ସୂର୍ଯ୍ୟବଂଶୀ ସଙ୍ଗମ ବିହାରରେ ଜଣେ କାର୍ଯ୍ୟକର୍ତ୍ତା। କପୁର କହିଛନ୍ତି ଯେ ଆପ ବିଧାୟକଙ୍କ ସାଙ୍ଗରେ ପ୍ରଚାର କରୁଥିବାର ହରିଶ୍ଚନ୍ଦ୍ରର ଫଟୋ ରହିଛି। ଅସଦାଚରଣ କରିଥିବା ଅଭିଯୁକ୍ତର ଆପ ସହିତ ସମ୍ପୃକ୍ତ ଥିବା ଏଥିରୁ ଉଜାଗର ହେଉଛି। ଏଣୁ ମାମଲାରେ ପୋଲିସ ଯାଞ୍ଚକୁ ପ୍ରଭାବିତ କରିବା ପାଇଁ ମାଲିୱାଲ ତାଙ୍କ ସାମ୍ବିଧାନିକ ପଦର ଉପଯୋଗ କରିପାରନ୍ତି ବୋଲି କପୁର ଆଶଙ୍କା ପ୍ରକାଶ କରିଛନ୍ତି।
ଏଣୁ କପୁର ଏଲଜିଙ୍କୁ ଲେଖିଥିବା ପତ୍ରରେ ଅନ୍ତତଃ ଅସଦାଚରଣ ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଡିସିଡବ୍ଲୁ ଅଧ୍ୟକ୍ଷ ପଦରୁ ମାଲିୱାଲଙ୍କୁ ନିଲମ୍ବିତ କରନ୍ତୁ। ଯାହା ଦ୍ୱାରା ଯାଞ୍ଚକୁ ପ୍ରଭାବିତ କରିବା ପାଇଁ ସେ ତାଙ୍କ ପଦର ଦୂରୁପୋଯଗ କରିନପାରନ୍ତି। ଦିଲ୍ଲୀ ବିଜେପି ଶୁକ୍ରବାର ମାଲିୱାଲଙ୍କ ସହିତ ଅସଦାଚରଣ ଘଟଣା ଉପରେ ପ୍ରଶ୍ନ ଉଠାଇଥିଲା। ଏଥିରେ ଯେଉଁ ବ୍ୟକ୍ତି ବିରୋଧରେ ଅଭିଯୋଗ ହୋଇଛି ସେ ଆପର ଓ ସେମାନଙ୍କ ନାଟକ ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ବିଜେପି କହିଥିଲା।