ଆର୍ଯ୍ୟନଙ୍କ ଗିରଫକୁ ନେଇ ମୁହଁ ଖୋଲିଲେ ସ୍ବରା : କହିଲେ,'ଯିଏ ଲୋକଙ୍କୁ ମାରିଲା ସେ ଆରାମରେ ଘରେ ଅଛି'

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ ୦୯/୧୦: ସାରା ଦେଶରେ ବର୍ତ୍ତମାନ ଦୁଇଟି ଖବର ଚର୍ଚ୍ଚାରେ ରହିଛି। ଗୋଟିଏ ହେଉଛି ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଖବର ଏବଂ ଅନ୍ୟଟି ହେଉଛି ଉତ୍ତର ପ୍ରଦେଶର ଲଖିମପୁର ଖିରୀ ହିଂସା ଘଟଣା। ଆର୍ଯ୍ୟନଙ୍କ ଏହି ମାମଲାକୁ ନେଇ ବଲିଉଡର ଅନେକ କଳାକାର ସ୍ବର ଉଠାଉଛନ୍ତି। ଅନେକ ସେଲିବ୍ରିଟି ସପକ୍ଷରେ ଥିବା ବେଳେ କେତେକ ବିପକ୍ଷରେ ମଧ୍ୟ ଅଛନ୍ତି । ତେବେ ସ୍ବରା ଭାସ୍କରଙ୍କ ପ୍ରତିକ୍ରିୟା ଚର୍ଚ୍ଚାରେ ।

ଟ୍ବିଟ୍‌ କରି ସ୍ବରା ଭାସ୍କର ଲେଖିଛନ୍ତି, “ମନ୍ତ୍ରୀଙ୍କ ପୁଅ ଯିଏ ଜାଣିଶୁଣି ୪ ଜଣ ଲୋକଙ୍କୁ ମାରିଦେଲା ସେ ଘରେ ଆରାମରେ ରହିଛି। କିନ୍ତୁ ଶାହରୁଖଙ୍କ ପୁଅ ନିଶା ଖାଇବା କାରଣରୁ ଏବେ ଜେଲ୍‌ରେ ଅଛି' । ସ୍ବରାଙ୍କର ଏହି ଟ୍ବିଟ୍ ସ୍ପଷ୍ଟ କରୁଛି ଯେ ଲଖିମପୁର ହିଂସା ମାମଲାରେ ମନ୍ତ୍ରୀଙ୍କ ପୁଅ ସହିତ କରାଯାଉଥିବା କୋହଳ ଆଭିମୁଖ୍ୟକୁ ସେ ନିନ୍ଦା କରିଛନ୍ତି। ସ୍ବରାଙ୍କ ବ୍ୟତୀତ ବଲିଉଡ୍ ଅଭିନେତା ସୋନୁ ସୁଦ ମଧ୍ୟ ଆର୍ଯ୍ୟନ ଖାନଙ୍କୁ ପରୋକ୍ଷ ସମର୍ଥନ କରିଛନ୍ତି।

wp:html /wp:html

ସୋନୁ ସୁଦ ଟ୍ବିଟ୍ କରିଛନ୍ତି ଯେ, ଆଇନ ଠିକ୍‌ ଭାବରେ ତା କାମ କରିବ। କିନ୍ତୁ ଏହି ସମୟରେ ମାନବିକତା ଉପରୁ ଯେଉଁ ପରଦା ଉଠିଛି ତାହା ସବୁବେଳେ ତୁମ ଚରିତ୍ରରେ ପ୍ରମାଣପତ୍ର ହୋଇ ରହିବ। କାଲି ଆଉ ଏକ ନୂଆ ସକାଳ ହେବ, କେବଳ ଧୈର୍ଯ୍ୟକୁ ଧରି ରୁହ । ସୋନୁ ସୁଦ ତାଙ୍କ ଟ୍ବିଟରେ ଆର୍ଯ୍ୟନଙ୍କ ନାଁ ନେଇ ନାହାଁନ୍ତି କିନ୍ତୁ ଏଭଳି ଟ୍ବିଟ୍‌ରୁ ଏ କଥା ସ୍ପଷ୍ଟ ବାରି ହେଉଛି। ସୂଚନା ଅନୁଯାୟୀ, ଗତ କିଛିଦିନ ପୂର୍ବରୁ ସୋନୁ ସୁଦଙ୍କ ଉପରେ ଇନ୍‌କମ୍‌ ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ ଲାଗିଥିଲା। ସେ ମଧ୍ୟ ଆଇନର ଫାସରେ ପଡିଥିଲେ।

wp:html /wp:html

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩ରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଲଖିମପୁର ଖିରି ଯାଉଥିଲେ। ହେଲିପ୍ୟାଡରୁ ତାଙ୍କୁ ଆଣିବା ପାଇଁ କାରକେଡ୍‌ ଯାଉଥିଲା ଏହି ଗାଡିଗୁଡିକ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କର ବୋଲି କୁହାଯାଉଛି। ତେବେ ତିକୁନିଆ ଅଞ୍ଚଳରେ ଚାଷୀମାନେ ବିରୋଧ ପ୍ରଦର୍ଶନ କରିବା ସହ ଗାଡିଗୁଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

ଅଭିଯୋଗ ହେଉଛି ଯେ ଚାଷୀମାନଙ୍କ ସହିତ ଯୁକ୍ତି ହେବାରୁ ଆଶୀଷ ମିଶ୍ରା ସେମାନଙ୍କ ଉପରେ ଗାଡି ଚଢେଇ ଦେଇଥିଲେ। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ବିବାଦ ବଢିବା ସହିତ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା। ତେବେ ଏହି ହିଂସା ପଛରେ ଆଶିଷ ମିଶ୍ରାଙ୍କ ସଂପୃକ୍ତି ଥିବା ଅଭିଯୋଗରେ ଚାଷୀଙ୍କ ସମେତ ବିଭିନ୍ନ ଦଳ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଘଟଣାରେ ଆଶୀଷ ମିଶ୍ରାଙ୍କ ବାପା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ନିଜ ପୁଅକୁ ସୁରକ୍ଷା ଦେଇଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.