ଚୁପ ରହିବା ପାଇଁ ୩୦ କୋଟି ଟଙ୍କାର ଅଫର ଦିଆଯାଉଛି...କେରଳ ଗୋଲ୍ଡ ସ୍ମଗଲିଂ ମାମଲାରେ ସ୍ୱପ୍ନା ସୁରେଶଙ୍କ ଚାଞ୍ଚଲ୍ୟକର ଦାବି

Published By : Prameya-News7 Bureau | March 09, 2023 IST

ନୂଆଦିଲ୍ଲୀ: କେରଳର ବହୁ ଚର୍ଚ୍ଚିତ ସୁନା ଚୋରା ଚାଲାଣ ଏବଂ ଲାଇଫ ମିଶନ କେସର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନ ସୁରେଶ ଗୁରୁବାର ଫେସବୁକ ଲାଇଭରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । କେରଳର କ୍ଷମତାରେ ଥିବା ସିପିଏମ ପାର୍ଟି ଜଣେ ମଧ୍ୟସ୍ଥି ଜରିଆରେ ତାଙ୍କୁ ୩୦ କୋଟି ଟଙ୍କା ଅଫର ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ବେଙ୍ଗାଲୁରୁରେ ଥିବା ସ୍ୱପ୍ନ ସୁରେଶ ଅଭିଯୋଗ ଆଣିଛନ୍ତି ଯେ ଗୋଲ୍ଡ ସ୍ମଗଲିଂ ମାମଲାରେ ଚୁପ ରହିବା ଏବଂ କେରଳ ଛାଡିବା ପାଇଁ ଏହି ଅର୍ଥ ରାଶି ଅଫର କରାଯାଇଥିଲା । କେବଳ ଏହା ନୁହେଁ, ଯଦି ଏହି ପ୍ରସ୍ତାବକୁ ସେ ଅସ୍ୱୀକାର କରନ୍ତି କେବେ ତାଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଛି । ସିପିଏମର ରାଜ୍ୟ ସମ୍ପାଦକ ଏମ.ଭି.ଗୋବିନ୍ଦନ ଏହି ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଫେସବୁକ୍ ଲାଇଭରେ ସ୍ୱପ୍ନ ଦାବି କରିଛନ୍ତି ଯେ ଜଣେ ବ୍ୟକ୍ତି ତିନି ଦିନ ପୂର୍ବେ ସାକ୍ଷାତକାର ବାହାନାରେ ତାଙ୍କ ସହ ଯୋଗାଯୋଗ କରିଥିଲା । ବ୍ୟକ୍ତି ଜଣକ ନିଜକୁ କୁନ୍ନୁର ବିଜୟ ପିଲ୍ଲାନଇ ବୋଲି ପରିଚୟ ଦେଇଥିଲା । ଏହି ବ୍ୟକ୍ତି ଜଣଙ୍କ ହିଁ ତାଙ୍କୁ ୩୦ କୋଟି ଟଙ୍କା ଅଫର ଦେଇଥିଲେ । କୋଚିରେ ୟୁଏଇ ବାଣିଜ୍ୟିକ ଦୂତାବାସର ପୂର୍ବତନ କର୍ମଚାରୀ ସ୍ୱପ୍ନା ସୁରେଶ ୨୦୨୦ କେରଳ ସୁନା ଚାଲାଣର ମାମଲାର ମୁଖ୍ୟ ଅଭିଯୁକ୍ତ । ଏହା ପୂର୍ବରୁ ସେ କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ବିରୋଧରେ ମଧ୍ୟ ଅନେକ ଥର ଅଭିଯୋଗ ଆଣିଛନ୍ତି ।

ସ୍ୱପ୍ନ ସୁରେଶ ଏନେଇ କର୍ଣ୍ଣାଟକ ଗୃହ ବିଭାଗରେ ଅଭିଯୋଗ କରିଛନ୍ତି । ସ୍ୱପ୍ନା ଦାବି କରିଛନ୍ତି, 'ସେମାନେ ଚାହୁଁଛନ୍ତି ଯେ ମୁଁ ହରିୟାଣା କିମ୍ୱା ଜୟପୁର ଚାଲିଯିବି । ମୋତେ ସବୁ ପ୍ରକାର ସହଯୋଗ କରାଯିବ, ଫ୍ଲାଟ୍ ମଧ୍ୟ ଦିଆଯିବ । ଏହା ବଦଳରେ ସେମାନେ ଚାହୁଁଛନ୍ତି ଯେ ମୁଖ୍ୟମନ୍ତ୍ରୀ, ତାଙ୍କ ପତ୍ନୀ, ତାଙ୍କ ପୁଅ, ଝିଅ ଏବଂ ତାଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ସିଏମ ରବିନ୍ଦ୍ରନଙ୍କ ବିରୋଧରେ ଥିବା ତଥ୍ୟ ତାଙ୍କୁ ହସ୍ତାନ୍ତର କରିଦେବି' । ସ୍ୱପ୍ନା ଅଭିଯୋଗ କରିଛନ୍ତି ଯେ ଏହି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ତାଙ୍କୁ ଦୁଇ ଦିନର ସମୟ ଦିଆଯାଇଛି ।

କେରଳ ଗୋଲ୍ଡ ସ୍ମଗଲିଂ କେସରେ ଏନଆଇଏ, ଇଡି ଏବଂ କଷ୍ଟମ ବିଭାଗ ଭିନ୍ନ ଭିନ୍ନ ତଦନ୍ତ କରୁଛନ୍ତି । ୨୦୨୦ ଜୁଲାଇ ୧୫ରେ ୟୁଏଇ କନସ୍ୟୁଲଟର ଡିପ୍ଲୋମେଟିକ୍ ବ୍ୟାଗରୁ ୧୫ କୋଟି ଟଙ୍କାର ସୁନା ଜବତ କରାଯାଇଥିଲା । ଏହି ମାମଲା ସାମନାକୁ ଆସିବା ପରେ ଏହାକୁ ନେଇ କେରଳର ରାଜନୀତି ବେଶ ଉଷ୍ମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.