ସ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ଟଳିପଡିଲେ ସ୍ୱାମୀ, ହୃଦଘାତରେ ଚାଲିଗଲା ଜୀବନ...

Published By : Prameya-News7 Bureau | May 24, 2021 IST

କୋଠପଦା,୨୪/୦୫ : ପତ୍ନୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଖବର ଶୁଣି ସ୍ୱାମୀଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ବାପାଙ୍କ ମୃତ୍ୟୁକୁ ଆଖି ଆଗରେ ଦେଖି ବଡ଼ ପୁଅଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅସମୟରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କରିବାକୁ ସାହିଭାଇ କେହି ଆସିନଥିଲେ । ଶେଷରେ ବ୍ଲକ ଅଧ୍ୟକ୍ଷ ଏବଂ ସମାଜସେବୀଙ୍କ ସହଯୋଗରେ ମୃତଦେହ ସତ୍କାର ହୋଇଥିବା ଜଣାପଡିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାହାଙ୍ଗା ଅଞ୍ଚଳରେ ।

ମିଳିଥିବା ତଥ୍ୟ ମୁତାବକ, ମାହାଙ୍ଗା ବ୍ଲକ ନାହାଙ୍ଗ ବାଲିପଡା ଗ୍ରାମର ଜଗନ୍ନାଥ ଦାସଙ୍କ ପତ୍ନୀ କମଳା (୬୨) ଗତ ସପ୍ତାହରେ ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । କରୋନା ସଂକ୍ରମିତ ଜଣାପଡିବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ଗତ ଶୁକ୍ରବାର ତାଙ୍କର ପରଲୋକ ଘଟିଥିଲା । କମଳାଙ୍କ ମୃତ୍ୟୁ ଖବର ତାଙ୍କ ସ୍ୱାମୀ ଜଗନ୍ନାଥ ଦାସ (୬୫)ଙ୍କୁ ପରିବାର ଲୋକେ ଜଣାଇନଥିଲେ । କମଳାଙ୍କ ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍‌ ଆଜି ଗାଁର ଅନ୍ୟ କେହି ଜଗନ୍ନାଥଙ୍କୁ ଏହା ପରୋକ୍ଷରେ ଜଣାଇ ଦେଇଥିଲେ । ପତ୍ନୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ଏହାକୁ ସହ୍ୟ କରି ନପାରି ଛାତି ଛାତି ହୋଇ ଘରେ ଟଳି ପଡିଥିଲେ ଜଗନ୍ନାଥ । ବାପାଙ୍କ ଏଭଳି ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନଥିଲେ ପୁତ୍ର ଦିଲ୍ଲୀପ । ତାଙ୍କର ହୃତସ୍ପନ୍ଦନ ଅସ୍ୱାଭାବିକ ଭାବେ ବଢିଯିବାରୁ ଓ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.