ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ହିନ୍ଦୁଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ସମର୍ଥନ କରିଛନ୍ତି ଉତ୍ତରାଖଣ୍ଡ ଜ୍ୟୋତିର୍ମଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନ୍ଦ ସରସ୍ବତୀ । ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କ ହିନ୍ଦୁଙ୍କ ଉପରେ ଟିପ୍ପଣୀ ଜାଣିବା ପରେ ତାଙ୍କର ସମ୍ପୂର୍ଣ୍ଣ ଭାଷଣକୁ ଧ୍ୟାନ ସହକାରେ ଶୁଣିଥିଲି । ସେ ଏଥିରେ ସ୍ପଷ୍ଟ ଭାବେ କହିଛନ୍ତି, ହିନ୍ଦୁ ଧର୍ମ ହିଂସାକୁ କେବେ ସ୍ୱୀକାର କରେନାହିଁ । ଭାଷଣରେ ରାହୁଲ କିଛି ଭୁଲ୍ କହିନାହାନ୍ତି । ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ବିରୋଧୀ ଦଳ ନେତା କହିଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ତାଙ୍କ ଭାଷଣକୁ ଏଡିଟ୍ କରି ଅଧା ସତ ପ୍ରସାର କରିବା ଏକ ଅପରାଧ । ଏପରି ପ୍ରଚାର କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ, ସେ କୌଣସି ଖବରକାଗଜ ହେଉ ବା ନ୍ୟୁଜ୍ ଚ୍ୟାନେଲ ହେଉ ।
ରାହୁଲ କେନ୍ଦ୍ର ସରକାରରେ ଥିବା ଏକ ପାର୍ଟି ଉଦ୍ଦେଶ୍ୟରେ ଏହି ମନ୍ତବ୍ୟ ଦେଇଥିଲେ, ହିନ୍ଦୁତ୍ୱ ଉପରେ ନୁହେଁ । ସେମାନେ ଧର୍ମ ଆଳରେ ହିଂସା ବିସ୍ତାର କରୁଛନ୍ତି ବୋଲି ରାହୁଲ କହିଥିବା ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି । ଲୋକସଭା ସ୍ବତନ୍ତ୍ର ଅଧିବେଶନର ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧି କହିଥିଲେ, ବିଜେପି-ଆର୍ଏସ୍ଏସ୍ ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହନ୍ତି । ହିନ୍ଦୁ ଧର୍ମରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ନିଜକୁ ହିନ୍ଦୁ କହି ହିଂସା ବିସ୍ତାର କରୁଛନ୍ତି ସେମାନେ ହିନ୍ଦୁ ନୁହନ୍ତି । ଏହାକୁ ନେଇ ବିଜେପି ରାହୁଲଙ୍କୁ ଟାର୍ଗେଟ କରିଥିଲା । ରାହୁଲ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ବିଜେପି ନେତାମାନେ କହିଥିଲେ । ଗୃହମନ୍ତ୍ରୀ ଅମିତ୍ ଶାହା ତାଙ୍କୁ କ୍ଷମା ମାଗିବାକୁ କହିଥିଲେ ।