'ଶୁଦ୍ରଙ୍କୁ ଶୁଦ୍ର କହିଦେଲେ ସେମାନେ ଖରାପ ଭାବନ୍ତି', ବିବାଦୀୟ ବୟାନ ଦେଇ ଅଡୁଆରେ ବିଜେପି ସାଂସଦ ସ୍ୱାଧି ପ୍ରଜ୍ଞା

Published By : Prameya-News7 Bureau | December 15, 2020 IST

ଭୋପାଳ,୧୫/୧୨: ଭୋପାଳ ଲୋକସଭା ଆସନରୁ ବିଜେପି ସାଂସଦ ସ୍ୱାଧି ପ୍ରଜ୍ଞା ସିଂହ ଠାକୁର ପୁଣି ଥରେ ନିଜ ବୟାନକୁ ନେଇ ବିବାଦରେ ଫସିଛନ୍ତି । ଶନିବାର ସ୍ୱାଧି ପ୍ରଜ୍ଞା ମଧ୍ୟପ୍ରଦେଶର ସିରୋରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ଧର୍ମଶାସ୍ତ୍ରର ଉଦାହରଣ ଦେଇ ସେ କହିଛନ୍ତି ଯେ, ଯଦି କ୍ଷତ୍ରିୟକୁ କ୍ଷତ୍ରିୟ କୁହାଯାଏ ତେବେ ଖରାପ ଲାଗି ନଥାଏ । ବ୍ରାହ୍ମଣକୁ ବ୍ରାହ୍ମଣ କହିଲେ ଖରାପ କେହି ଭାବନ୍ତି ନାହିଁ । ବୈଶ୍ୟକୁ ବୈଶ୍ୟ କହିଲେ ମଧ୍ୟ କିଛି ଭୁଲ ନାହିଁ । କିନ୍ତୁ ଶୁଦ୍ରକୁ ଶୁଦ୍ର କହିଲେ ସେମାନେ ଖରାପ ଭାବିଥାନ୍ତି । ଏହାର କାରଣ କଣ ତାହା ବୁଝିବା ଆବଶ୍ୟକ ।

କଂଗ୍ରେସ ଏହି ବୟାନକୁ ନେଇ ସ୍ୱାଧି ପ୍ରଜ୍ଞାଙ୍କୁ ସମାଲୋଚନା କରିଛି । ଏହାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଦଳ ଟାର୍ଗେଟ୍ କରିଛି । ବିଜେପି ନେତା ଦଳିତ ଓ ଗରିବଙ୍କୁ ଅପମାନ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହାସହ ଏସସି ଏସଟି ବିପକ୍ଷରେ ଏପରି ଭାବନା ବିଜେପି ବନ୍ଦ କରୁ ବୋଲି କଂଗ୍ରେସ କହିଛି ।

ବିଜେପି ସାଂସଦ ସ୍ୱାଧି ପ୍ରଜ୍ଞାଙ୍କ ପାଇଁ ଏପରି ବିବାଦୀୟ ବୟାନ ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ସେ ଅନେକ ବୟାନ ଦେଇ ଅଡୁଆରେ ଫସିଛନ୍ତି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ସେ ଦେଶଭକ୍ତ କହିଥିଲେ । ଏହାକୁ ନେଇ ସେ କ୍ଷମା ପ୍ରାର୍ଥନା କରିଥିଲେ ବି ବିବାଦ ଥମି ନଥିଲା । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ତାଗିଦ୍ ହେବା ପରେ ବି ସେ ନିଜ ଶବ୍ଦ ଉପରେ ନିୟନ୍ତ୍ରଣ ରଖୁନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.