ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ

Published By : Prameya-News7 Bureau | May 05, 2020 IST

ଭଦ୍ରକ ୫।୫: ଗାଡି ଅଟକାଇଲେ । ସଂଘବଦ୍ଧ ହୋଇ ଡ୍ରାଇଭରଙ୍କୁ ପିଟିଲେ । ତାଙ୍କ ବଡ ଭାଇ ଦେଖିବା ପରେ ଗୁରୁତର ସାନ ଭାଇଙ୍କୁ ମେଡିକାଲ ନେବା ପାଇଁ କହିବାରୁ ପୋଲିସ ବାରଣ କରିଥିବା ଅଭିଯୋଗ ହୋଇଛି । ପରେ ନିଜେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ।

ଅଭିଯୋଗ ଅନୁଯାୟୀ ତିହିଡି ଥାନା ବାଲିଦାଣ୍ଡି ଗ୍ରାମର ଦୈତାରି ନାୟକ ପେଶାରେ ଡ୍ରାଇଭର । ସେ ଚଳାଉଥିବା ପିକଅପ ଭ୍ୟାନ୍ ନେଇ ବିଳମ୍ବିତ ରାତିରେ କୌଣସି ସାମଗ୍ରୀ ନେବା ପାଇଁ ଗାଁରୁ ଭଦ୍ରକ ଆସୁଥିଲେ । ସେହି ସମୟରେ ଗାଡିକୁ ଅଟକାଇ ପୋଲିସ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଦୈତାରିଙ୍କୁ ୧୦ ରୁ ୧୨ ଜଣ ପୋଲିସ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ସେହି ସମୟରେ ତାଙ୍କ ବଡ ଭାଇ କୈଳାଶ ଏକ ଟେମ୍ପୋ ନେଇ ପରିବା ନେଇ ବେପାରୀଙ୍କୁ ଦେବା ପାଇଁ ଆସୁଥିଲେ । ସେଠାରେ ଦୁଇଟି ପୋଲିସ ଗାଡି ଥିବା ସହ କୌଣସି ଲୋକଙ୍କୁ ମାଡ ହେଉଥିବା ଦେଖିଥିଲେ ।

ପରେ ଚିତ୍କାର ଶୁଣି ନିଜ ଭାଇ ବୋଲି ଜାଣି ତାଙ୍କୁ ଛାଡିବା ପାଇଁ ଅନୁରୋଧ କରିଥିଲେ । ଗୁରୁତର ଭାଇଙ୍କୁ ମେଡିକାଲ ଆଣିବା ପାଇଁ ଉଦ୍ୟମ କରିବାରୁ ପୋଲିସ ବାରଣ କରିଥିଲା । ପରେ ପୋଲିସ ତାଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ଗୁପ୍ତାଙ୍ଗ ଓ ଦେହସାରା ଚିହ୍ନ ଦେଖିବାକୁ ମିଳିଛି । ପରିବାର ଲୋକେ ତିହିଡି ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ଓ ମେଡିକାଲର ଡାକ୍ତରଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ।

ଘଟଣା ପରେ ଭଦ୍ରକ ଏସପି ତିହିଡି ଯାଇ ତଦନ୍ତ କରିଛନ୍ତି । ଏଚଆରପିସିକୁ ତଦନ୍ତ ଦାୟିତ୍ବ ଦିଆଯାଇଛି । ତେବେ ଦୁଇଟି ଗାଡିରେ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ ପୋଲିସ ଯାଇଥିଲା । ସେଠାରେ ପୋଲିସକୁ ଦେଖି ମୃତ ଯୁବକ ନିଜ ଗାଡିକୁ ନେଇ ଟ୍ରେନ୍ ଲାଇନ୍ ଉପରେ ପଳାଉଥିବା ବେଳେ ଗାଡି ଖସି ପଡିଥିଲା । ତଥାପି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି । କାହାର ସମ୍ପୃକ୍ତି ଥିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.