ସୁଶୀଲ କୁମାରଙ୍କୁ ଝଟକା, ଆଉ ଚାରି ଦିନ ବଢିଲା ପୋଲିସ ରିମାଣ୍ଡ ଅବଧି

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ ୨୯।୦୫: ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆଉ ଏକ ଝଟକା। ଯୁବ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀର ରୋହିଣୀ କୋର୍ଟ ସୁଶୀଲ କୁମାରଙ୍କ ରିମାଣ୍ଡ ଅବଧିକୁ ଆଉ ଚାରି ଦିନ ବଢାଇଛନ୍ତି। ସୁଶୀଲଙ୍କ ବନ୍ଧୁ  ଅଜୟ ବକରଓ୍ଵାଲାଙ୍କ ମଧ୍ୟ ପୋଲିସ ରିମାଣ୍ଡ ଅବଧି ବଢାଇଛନ୍ତି କୋର୍ଟ।

ସୁଶୀଲ ଓ ଅଜୟଙ୍କ ଛଅ ଦିନିଆ ରିମାଣ୍ଡ ଅବଧି ସମାପ୍ତ ହେବା ପରେ ଶୁକ୍ରବାର ଦୁହିଁଙ୍କୁ ଅଦାଲତରେ ହାଜର କରାଯାଇଥିଲା। ପୋଲିସ ଏହି ହତ୍ୟାକାଣ୍ଡର ଆହୁରି ତଦନ୍ତ ପାଇଁ ସାତ ଦିନିଆ ରିମାଣ୍ଡ ଦାବି କରିଥିଲା। ହେଲେ ଅଦାଲତ ଚାରି ଦିନର ରିମାଣ୍ଡ ମଞ୍ଜୁର କରିଛନ୍ତି। ପୋଲିସ କହିଛି, ସୁଶୀଲଙ୍କୁ ଆହୁରି ପଚରାଉଚୁରା କରିବାର ଆବଶ୍ୟକତା ରହିଛି। ସାଗର ରାଣା ହତ୍ୟାକାଣ୍ଡରେ ସୁଶୀଲ କୁମାରଙ୍କ ସମେତ ଏ ପର୍ଯ୍ୟନ୍ତ ୯ ଜଣ ଗିରଫ ହୋଇ ସାରିଲେଣି।

ମୁଖ୍ୟ ସନ୍ଦିଗ୍ଧ ସୁଶୀଲ ଓ ତାଙ୍କ ସହଯୋଗୀ ଅଜୟଙ୍କୁ ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ସେଲ୍‌ର ଟିମ୍ ମେ ୨୩ରେ ଗିରଫ କରିଥିଲା। ଉଭୟ ମେ ୪ ଘଟଣା ପରଠୁ ଫେରାର ଥିଲେ। ପହିଲମାନ ସୁଶୀଲଙ୍କ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଅଜୟଙ୍କ ଉପରେ ୫୦ ହଜାର ଥିଲା।

ସୂଚନାଯୋଗ୍ୟ, ମେ ୪ ରାତିରେ ଦିଲ୍ଲୀର ମୋଡେଲ୍ ଟାଉନ ଥାନା ଅଞ୍ଚଳରୁ ସୁଶୀଲ କୁମାର ଏବଂ ତାଙ୍କ ସାଙ୍ଗମାନେ ମିଶି ଏକ ଫ୍ଲାଟରୁ ସାଗର ରାଣା ଓ ତାଙ୍କ ସାଙ୍ଗକୁ ଅପହରଣ କରିଥିଲେ। ସେମାନଙ୍କୁ ଛତ୍ରସାଲ ଷ୍ଟାଡିୟମକୁ ଆଣି ନିର୍ମମ ଭାବେ ମାଡ ମାରିଥିଲେ। ଏଥିରେ ସାଗର ରାଣା ଗୁରୁତର ଆହତ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସାଗରର ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.