ସାରାଙ୍କ ସହ ରିଲେସନସିପରେ ଥିଲେ ସୁଶାନ୍ତ : ଜଣେ ଅନ୍ତରଙ୍ଗ ବନ୍ଧୁ ପ୍ରମାଣ ସହ ଆଣିଲେ ଟ୍ବିଷ୍ଟ୍
20/08/2020 at 4:43 PM

ମୁମ୍ବାଇ ୨୦/୮: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରଠୁ ସବୁ ଦିନ ଏହି ମାମଲାରେ ନୂଆ ନୂଆ ଖୁଲାସା ହେଉଛି। ସେହିପରି ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକେ ମଧ୍ୟ ଲଗାତାର ତାଙ୍କ ମାମଲାକୁ ନେଇ ଚାଲିଥିବା ବିବାଦର ଅଂଶୀଦାର ହେଉଛନ୍ତି। ନିକଟରେ ସୁପ୍ରିମ କୋର୍ଟ ସୁଶାନ୍ତଙ୍କ ମାମଲାର ଯାଞ୍ଚ ସିବିଆଇ ହାତରେ ଦେଇଛନ୍ତି। ଏବେ ଏସବୁ ମଧ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସ୍ୟାମୁଏଲ ସୁଶାନ୍ତଙ୍କ ଆଫେୟାର ବିଷୟରେ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି।

ନିକଟରେ ସୁଶାନ୍ତଙ୍କ ବନ୍ଧୁ ସ୍ୟାମୁଏଲ୍ ହୋକିପ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ତାଙ୍କ ରିଲେସନସିପ୍ ବିଷୟରେ ଖୁଲାସା କରିଛନ୍ତି। ହୋକିପ ଲେଖିଛନ୍ତି ଯେ ,‘ତାଙ୍କର ଭଲ ଭାବେ ମନେ ଅଛି ଯେ ଫିଲ୍ମ ‘କେଦାରନାଥ’ ସମୟରେ ସୁଶାନ୍ତ ଏବଂ ସାରାଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ସେହି ସମୟରେ ଉଭୟଙ୍କୁ ଅଲଗା କରିବା କଷ୍ଟ ଥିଲା। ସୁଶାନ୍ତ ଏବଂ ସାରା ଦୁହେଁ ଖୁବ୍ ନିରୀହ ଥିଲେ। ଦୁହେଁ ପରସ୍ପରର ବହୁତ ସମ୍ମାନ କରୁଥିଲେ ଯାହା ଆଜିକାଲି ସମ୍ପର୍କରେ ବହୁତ କମ୍ ଦେଖିବାକୁ ମିଳିଥାଏ।’
ଏହା ବ୍ୟତୀତ ହୋକିପ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ଲେଖିଛନ୍ତି ଯେ ‘ସୁଶାନ୍ତଙ୍କ ସହ ସାରା ତାଙ୍କ ପରିବାର,ବନ୍ଧୁ ଏବଂ ଷ୍ଟାଫଙ୍କୁ ମଧ୍ୟ ସମ୍ମାନ କରୁଥିଲେ। ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା ଯେତେବେଳେ ସାରା ଫିଲ୍ମ ‘ସୋନଚିଡ଼ିଆ’ର ବକ୍ସ ଅଫିସରେ ପ୍ରଦର୍ଶନ ଦେଖିବା ପରେ ସୁଶାନ୍ତଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। କ’ଣ ସେସବୁ ମଧ୍ୟ ବଲିଉଡ ମାଫିଆଙ୍କ ଚାପ ପ୍ରୟୋଗ ଯୋଗୁଁ ହୋଇଥିଲା?’

ସେହିପରି ସୁଶାନ୍ତଙ୍କ ବନ୍ଧୁଙ୍କ ଏହି ଆଶ୍ଚର୍ଯ୍ୟକର ଖୁଲାସା ପରେ ସୋସିଆଲ ମିଡିଆରେ ଲୋକେ ନିଜର ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି। ଏହି ଖୁଲାସା ପରେ ସାରାଙ୍କ ତରଫରୁ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ଆସି ନାହିଁ।
