ଟିମ୍ ଇଣ୍ଡିଆରୁ ବ୍ରେକ ନେଲେ ମଧ୍ୟ କ୍ରିକେଟରୁ ଦୂରରେ ରହିବେ ନାହିଁ ସୂର୍ଯ୍ୟକୁମାର, ନେଲେ ଏମିତି ନିଷ୍ପତ୍ତି
5/12/2022 at 1:27 PM

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ବାଂଲାଦେଶ ଗସ୍ତରୁ ବିଶ୍ରାମା ଦିଆଯାଇଛି। ସୀମିତ ଓଭର କ୍ରିକେଟର ସୂର୍ଯ୍ୟକୁମାର ଭାରତୀୟ ଦଳର ଜଣେ ଗୁରୁତ୍ଵପୂର୍ଣ୍ଣ ସଦସ୍ୟ ପାଲଟିଛନ୍ତି। ତେବେ ବାଂଲାଦେଶ ବିପକ୍ଷ ସିରିଜରୁ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ। ପାଖାପାଖି ୭୫ ଦିନ ଭାରତୀୟ ଦଳ ସହ ରହିବା ପରେ ସୂର୍ଯ୍ୟକୁମାର ଯାଦବ ବିରତି ତ ନେଲେ, ମାତ୍ର ଏହି ସମୟରେ ସେ କ୍ରିକେଟରୁ ଦୂରେଇ ରହିବେ ନାହିଁ। ସେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ବାକି ଖେଳାଳିଙ୍କୁ ଶିଖିବାର ଆବଶ୍ୟକତା ରହିଛି। ଡିସେମ୍ବର ୨୦ରୁ ମୁମ୍ବାଇ ନିଜର ଘରୋଇ ମଇଦାନରେ ହାଇଦ୍ରାବାଦ ବିପକ୍ଷରେ ରଣଜୀ ମ୍ୟାଚ୍ ଖେଳିବ। ଆଉ ଏହି ମ୍ୟାଚରେ ସେ ଦଳ ପାଇଁ ଉପଲବ୍ଧ ରହିବେ ବୋଲି ସୂର୍ଯ୍ୟ କହିଛନ୍ତି। ଏମିତି ନିଷ୍ପତ୍ତି ନେଇ ସୂର୍ଯ୍ୟ ସଭିଙ୍କ ହୃଦୟ ଜିଣିଛନ୍ତି।
ଏମସିଏର ଆଜିଙ୍କ୍ୟ ନାୟକ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, ସୂର୍ଯ୍ୟ ଦ୍ଵିତୀୟ ରଣଜୀ ମ୍ୟାଚରେ ଦଳ ପାଇଁ ଉପଲବ୍ଧ ରହିବେ ବୋଲି କହିଛନ୍ତି। ଆନ୍ଧ ପ୍ରଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ଚୟନ କମିଟି ଆଜି ଦଳ ଘୋଷଣା କରିଛନ୍ତି। ଦଳର ନେତୃତ୍ଵ ଦାୟିତ୍ଵ ନେବେ ଆଜିଙ୍କ୍ୟ ରାହାଣେ। ଧଳା ବଲ୍ କ୍ରିକେଟରେ ନିଜକୁ ସାବ୍ୟସ୍ତ କରି ସାରିଥିବା ସୂର୍ଯ୍ୟକୁମାର ଯାଦବ ଏବେ ରେଡ୍ ବଲ କ୍ରିକେଟରେ ଭାରତୀୟ ଦଳର ସଦସ୍ୟ ହେବାକୁ ଚାହାନ୍ତି। ଏହି କାରଣରୁ ସେ ସୁଯୋଗ ମିଳିଲେ ରଣଜୀ ମ୍ୟାଚ୍ ଖେଳିବାକୁ ଭୁଲୁ ନାହାନ୍ତି।
୩୨ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୧ ମାର୍ଚ୍ଚରେ ଖେଳିଥିଲେ। ତା ପରଠୁ ସେ ଭାରତୀୟ ଦଳ ପାଇଁ ୧୬ଟି ଦିନିକିଆ ଏବଂ ୪୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ସାରିଛନ୍ତି। ସେ ଦିନିକିଆରେ ୧୦୦.୫୨ ଷ୍ଟ୍ରାଇକ ରେଟ୍ ଏବଂ ୩୨ ହାରରେ ୩୮୪ ରନ କରିଥିବା ବେଳେ ଟି-୨୦ ଅନ୍ତର୍ଜାତୀୟରେ ୧୮୦.୯୭ ଷ୍ଟ୍ରାଇକ୍ ଏବଂ ୪୪ ହାରରେ ୧୪୦୮ ରନ କରିଛନ୍ତି।