ରାଜକୋଟ୍ରେ ଛକା-ଚୌକା ବର୍ଷା କଲେ ସୂର୍ଯ୍ୟକୁମାର ଯାଦବ, ହାସଲ କଲେ ବର୍ଷର ପ୍ରଥମ ଟି-୨୦ ଶତକ
7/01/2023 at 9:09 PM

ରାଜକୋଟ୍: ଭାରତୀୟ ଦଳର ତାରକା ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ବର୍ଷ ୨୦୨୩ର ପ୍ରଥମ ଟି-୨୦ ଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୁମ ପ୍ରହାର କରିଛନ୍ତି ସୂର୍ଯ୍ୟକୁମାର। ରାଜକୋଟ୍ରେ ଖେଳାଯାଇଥିବା ତୃତୀୟ ଟି-୨୦ ଅନ୍ତର୍ଜାତୀୟରେ ସୂର୍ଯ୍ୟଙ୍କ ରାଜୁତି ଦେଖିବାକୁ ମିଳିଛି। ସେ ନିଜ ଟି-୨୦ କ୍ୟାରିୟରର ତୃତୀୟ ଶତକ ବିସ୍ଫୋରକ ଢଙ୍ଗରେ ପୂରା କରିଛନ୍ତି। ଶ୍ରୀଲଙ୍କା ବୋଲରଙ୍କ ବିରୋଧରେ ସେ ଛକା ଏବଂ ଚୌକା ବର୍ଷା କରି ଦଳକୁ ବିଶାଳ ସ୍କୋର ପ୍ରଦାନ କରିଛନ୍ତି।
ସୂର୍ଯ୍ୟକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ନିଜର ତୃତୀୟ ଶତକ ମାତ୍ର ୪୫ ବଲ୍ରୁ ପୂରଣ କରିଛନ୍ତି। ପୂରା ଇନିଂସରେ ଚୌକା ଏବଂ ୯ ଛକା ସାମିଲ୍। ଏହା ପୂର୍ବରୁ ପୁଣେରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ସୂର୍ଯ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ୨୦୨୩ର ପ୍ରଥମ ଅନ୍ତର୍ଜାତୀୟ ଶତକ ନ୍ୟୁଜିଲାଣ୍ଡର ବାମହାତୀ ବ୍ୟାଟସମ୍ୟାନ ଡେଭନ କନଓ୍ଵେ ହାସଲ କରିଥିଲେ। ସେ ପାକିସ୍ତାନ ବିପକ୍ଷରେ ଏହି ଶତକ ଅର୍ଜନ କରିଥିଲେ।
ଆଜିର ମୁକାବିଲାରେ ସୂର୍ଯ୍ୟକୁମାର ୨୬ ବଲ୍ରୁ ଅର୍ଦ୍ଧଶତକ ପୂରା କରିଥିଲେ। ପରେ ଶତକ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମାତ୍ର ୧୯ ବଲ୍ର ସାହାରା ନେଇଥିଲେ। ଏହି ସମୟରେ ତାଙ୍କ ବ୍ୟାଟ୍ରୁ ଖୁବ୍ ଚୌକା ଏବଂ ଛକା ଦେଖିବାକୁ ମିଳିଥିଲା। ଭାରତ ପାଇଁ ଏହା ଦ୍ଵିତୀୟ ଦ୍ରୁତତମ ଶତକ। ରୋହିତ ଶର୍ମା ୩୫ ବଲ୍ରୁ ଟି-୨୦ ଅନ୍ତର୍ଜାତୀୟରେ ଶତକ ଅର୍ଜନ କରିଥିଲେ। କେଏଲ ରାହୁଲ ୪୬ ବଲ୍ରେ ଶତକୀୟ ଇନିଂସ ଖେଳିଥିଲେ।
ସବୁଠୁ ବଡ କଥା ସୂର୍ଯ୍ୟକୁମାର ଯାଦବ ଏ ପର୍ଯ୍ୟନ୍ତ ତିନି ଥର ଶତକୀୟ ଇନିଂସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ହିଁ ଖେଳିଛନ୍ତି। ଆଉ ଏହି ତିନି ଶତକ ମାତ୍ର ୫୦ରୁ କମ୍ ବଲ୍ରେ ହାସଲ କରିଛନ୍ତି। ଏଥିରୁ ଜଣା ପଡୁଛି ଯେ, ସେ କେତେ ବିପଦଜ୍ଜନକ ବ୍ୟାଟସମ୍ୟାନ।