ପୁଣି ଥରେ ODIରେ ଫେଲ୍ ମାରିଲେ ସୂର୍ଯ୍ୟକୁମାର ଯାଦବ, ଆଗାମୀ ୨ ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ

Published By : Prameya-News7 Bureau | March 17, 2023 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ଭାରତ ୫ ଓ୍ଵିକେଟ୍‌ରେ ଜିତି ନେଇଛି। ଆହତ କାରଣରୁ ଶ୍ରେୟସ ଆୟର ଶୃଙ୍ଖଳାରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ମିଳିଛି। ଆଉ ଏହି ଫର୍ମାଟ୍‌ରେ ନିଜକୁ ସାବ୍ୟସ୍ତ କରିବା ପାଇଁ ସୂର୍ଯ୍ୟଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି। ହେଲେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟ  ଯେତେବେଳେ ଦିନିକିଆ ମ୍ୟାଚ୍ ଖେଳନ୍ତି ତାଙ୍କ ବ୍ୟାଟ୍‌ କେମିତି କେଜାଣି ଶାନ୍ତ ପଡିଯାଉଛି।

ଟି-୨୦ରେ ଯେଉଁ ବଲ୍‌କୁ ସୂର୍ଯ୍ୟକୁମାର ଯାଦବ ଅନାୟସରେ ଚୌକା-ଛକା ମାରନ୍ତି ଦିନିକିଆରେ ସେହି ଧଳା ବଲ୍‌ରେ ସେ କେମିତି ଫ୍ଲପ୍ ହୋଇ ଯାଉଛନ୍ତି  ତାହା କେହି ବୁଝି ପାରୁ ନାହାନ୍ତି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଏମିତି ଚିତ୍ର ଦେଖିବାକୁ ମିଳିଛି।

ସୂର୍ଯ୍ୟକୁମାର ଯାଦବଙ୍କୁ ଶ୍ରେୟସଙ୍କ ସ୍ଥାନରେ ନମ୍ବର ୪ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଲା। ହେଲେ ସେ ପ୍ରଥମ ବଲ୍‌ରେ ହିଁ ଖାତା ଖୋଲିବା ପୂର୍ବରୁ ଏଲବିଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଦିନିକିଆ ଅନ୍ତର୍ଜାତୀୟରେ ସୂର୍ଯ୍ୟ ୨୧ ମ୍ୟାଚ୍ ଖେଳିଛନ୍ତି ଏବଂ ୧୯ ଥର ବ୍ୟାଟିଂ ପାଇଁ କ୍ରିଜକୁ ଓହ୍ଲାଇଛନ୍ତି। ଏଥିରୁ କେବଳ ୨ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ  ହାସଲ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ବ୍ୟାଟ୍‌ରୁ ଶତକଟିଏ ମଧ୍ୟ ଦେଖିବାକୁ ମିଳିନାହିଁ। କିନ୍ତୁ ଟି-୨୦ କ୍ରିକେଟ୍‌ରେ ସେ ୩ ଶତକ ମାରି ସାରିଛନ୍ତି।

ଏହି ଡାହାଣହାତୀ ବ୍ୟାଟର ଦିନିକିଆରେ ୧୯ଟି ଇନିଂସରେ ୨୭ ହାରରେ ୪୩୩ ରନ କରିଛନ୍ତି। ଆଉ ଷ୍ଟ୍ରାଇକ୍ ରେଟ୍ ୧୦୨ ରହିଛି। ଗତ ୧୦ଟି ଦିନିକିଆ ଉପରେ ନଜର ପକାଇଲେ ସୂର୍ଯ୍ୟ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଚକିତ କର କଥା କ୍ୟାରିୟରର ପ୍ରଥମ ୬ଟି ଦିନିକିଆ ଦମଦାର ଥିଲା।

ସୂର୍ଯ୍ୟ ପ୍ରଥମ ୬ଟି ମ୍ୟାଚ୍‌ରେ ପ୍ରତ୍ୟେକ ଥର ୩୦ରୁ ଅଧିକ ରନ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ସାମିଲ୍। ଏହା ପରଠୁ ସେ ନିରାଶ କରିଛନ୍ତି। ଯଦି ଆଗାମୀ ଦୁଇଟି ମ୍ୟାଚ୍‌ରେ ସୂର୍ଯ୍ୟଙ୍କ ବ୍ୟାଟ୍ ଶାନ୍ତ ରହେ ତେବେ ଦିନିକିଆ ଦଳରୁ ସେ ବାଦ୍ ପଡି ପାରନ୍ତି। କାରଣ ଶ୍ରେୟସ ଆୟର ଦଳକୁ ଫେରି ପାରନ୍ତି, ନଚେତ୍ ସଞ୍ଜୁ ସାମସନ ତାଙ୍କ ସ୍ଥାନ ନେଇ ପାରନ୍ତି। କାରଣ ସଞ୍ଜୁ ସାମସନଙ୍କ ରେକର୍ଡ ଦିନିକିଆ ଫର୍ମାଟ୍‌ରେ ଉନ୍ନତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.