ଦିନେ ୨୦୦ ଟଙ୍କାରେ କରିଥିଲେ ଆରମ୍ଭ, ଏବେ ୧୦ କୋଟିରୁ ଅଧିକ ମୂଲ୍ୟର କମ୍ପାନୀ

Published By : Prameya-News7 Bureau | August 05, 2024 IST

ନୂଆଦିଲ୍ଲୀ ୦୫।୦୮: କିଛି ନୂଆ କରିବାର ପ୍ରୟାସ ।  ଅଳ୍ପ ବୟସରେ ଆଶ୍ଚର୍ଯ୍ୟଜନକ ସଫଳତା । ନିଜ ଦୃଢ ଇଚ୍ଛା ଶକ୍ତି ବଳରେ ହୋଇଛନ୍ତି ସଫଳ । ତାମିଲନାଡୁର ଜଣେ ୨୨ ବର୍ଷୀୟ ଯୁବକ । ଦିନେ ୨୦୦ ଟଙ୍କାରୁ କରିଥିଲେ ଆରମ୍ଭ ।  ଭାଗ୍ୟ ଦେଲା ସାଥ୍ । ଆଉ ହୋଇଗଲେ କୋଟିପତି ।

ଏ ହେଉଛନ୍ତି ସୂର୍ଯ୍ୟ ବର୍ଷଣ । ସୂର୍ଯ୍ୟ ନେକେଡ୍ ନେଚର ନାମକ କମ୍ପାନୀର ପ୍ରତିଷ୍ଠାତା । ଡିଜିଟାଲ ମାର୍କେଟିଂ ଦୁନିଆରେ ଏବେ ଏହି କମ୍ପାନୀ ଏକ ବଡ ବ୍ରାଣ୍ଡ୍ । ସୂର୍ଯ୍ୟ ବର୍ଷଣଙ୍କ 'ନେକେଡ୍ ନେଚର' ଏକାଧିକ ପ୍ରକାର ଉତ୍ପାଦ ସାମଗ୍ରୀ ପ୍ରସ୍ତୁତ କରୁଛି । ଗାଧୋଇବା ସାମଗ୍ରୀ, ତ୍ୱଚା ଓ କେଶର ସୁରକ୍ଷା, ଓଠ ଓ ଆଖିର ଯତ୍ନ, ଶିଶୁର ଯତ୍ନ ପରି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିଥାଏ ତାଙ୍କ କମ୍ପାନୀ ।

ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବେଳେ ସୂର୍ଯ୍ୟ ତିଆରି କରିଥିଲେ ନିଜର ପ୍ରଥମ ସାମଗ୍ରୀ । କିଚେନର ବାଥ ସଲ୍ଟ ପ୍ରସ୍ତୁତ କରିଥିଲେ । ତୁତକୁଡ଼ିରୁ ହୋଇଥିବା କାରଣରୁ ସହଜରେ ଲୁଣ ମିଳିଯାଉଥିଲା । ଏହାର ଅନେକ ଉପଯୋଗ ରହିଛି । ସେଥିରେ କିଛି ଫୁଲ ମିଶାଇ ସେ ଏହାକୁ ହିବିସକସ୍ ବାଥ୍ ସଲ୍ଟ ନାଁ ଦେଇଥିଲେ ।   ଏହି କାମକୁ ସୂର୍ଯ୍ୟ ମାତ୍ର ୨୦୦ ଟଙ୍କାରେ ଆରମ୍ଭ କରିଥିଲେ । ଏବେ ଏହା ୧୦ କୋଟିରୁ ଅଧିକ ମୂଲ୍ୟର କମ୍ପାନୀରେ ପହଞ୍ଚିଛି । ଆଉ କମ୍‌ ବୟସରେ ସୂର୍ଯ୍ୟ ହୋଇଛନ୍ତି ସଫଳ ବ୍ୟବସାୟ । 

କିନ୍ତୁ ଯେତେବେଳେ ସୂର୍ଯ୍ୟ ବର୍ଷଣ ନିଜର ବିଜନେସ୍‌କୁ ଆଗକୁ ବଢାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କ ବୟସକୁ ଦୃଷ୍ଟିରେ ରଖି ଲୋକେ ଏହାକୁ ଗମ୍ଭୀରତାର ସହ ନେଉ ନଥିଲେ । ଯେଉଁ କାରଣରୁ ସାମଗ୍ରୀ ବିକ୍ରି ହେବାରେ ଦେଖାଦେଇଥିଲା ସମସ୍ୟା । ଚେନ୍ନାଇରେ BE ଇଞ୍ଜିନିୟରିଂ ପଢ଼ିବା ସମୟରେ ନିଜ କାମ ପାଇଁ ସେ ପ୍ରତ୍ୟେକ ସପ୍ତାହରେ ମଦୁରାଇ ଯାଉଥିଲେ । କିନ୍ତୁ ଅନେକଥର ତାଙ୍କୁ ମିଳିଥିଲା ବିଫଳତା । ଏତେ ପରେ ବି ସେ ଭାଙ୍ଗି ପଡ଼ିନଥିଲେ ବରଂ କଠିନ ପରିଶ୍ରମ କରିଥିଲେ । ଆଉ ପାଇଥିଲେ ସଫଳତା ।  

ସୂର୍ଯ୍ୟଙ୍କୁ ନିଜର ବ୍ୟବସାୟ ବଢାଇବାକୁ ଆତ୍ମବିଶ୍ୱାସ ଦେଇଥିଲେ ଜଣେ ଆୟୁର୍ବେଦିକ ଡାକ୍ତର । ପରେ ସୂର୍ଯ୍ୟ ମଦୁରାଇର ଏକ କଲେଜକୁ ନିଜର ଟ୍ରାନ୍ସଫର କରାଇନେବା ସହ ଓ ୟୁଟୁବରେ  ଡିଜିଟାଲ୍ ମାର୍କେଟିଂରେ ପାଠ ପଢିବା ସହ ଅନଲାଇନ୍ କ୍ଳାସ୍ ନେଉଥିଲେ । ତେବେ ଏଥିପାଇଁ ସୂର୍ଯ୍ୟ ଜଣଙ୍କ ଠାରୁ ୪୦୦ ଟଙ୍କା ଲେଖାଁଏ ଫି ନେଉଥିଲେ  । 

ଏହି ସମୟ ମଧ୍ୟରେ ରିସର୍ଚ୍ଚ ମାଧ୍ୟମରେ ଅଧିକ ସାମଗ୍ରୀ ପ୍ରସ୍ତୁତ କରିବାକୁ ଲାଗିଲେ । ଏହ କ୍ଳାସ୍ରୁ ସୂର୍ଯ୍ୟ ପ୍ରାୟ ୨.୨୦ ଲକ୍ଷ ଟଙ୍କା ରୋଜଗାର କଲେ । ଏହାକୁ ସେ ନେକେଡ୍ ନେଚରରେ ନିବେଶ କଲେ । ଏହାପରେ ସୂର୍ଯ୍ୟ ଦିନକୁ ଦିନ ଉପରକୁ ଉଠି ଚାଲିଲେ । ବର୍ତ୍ତମାନ ନେକେଡ ନେଚରରେ ପ୍ରାୟ ୭୦ ପ୍ରକାର ସାମଗ୍ରୀ ଉପଲବ୍ଧ । ବ୍ରାଣ୍ଡ୍ ୨୦୨୧-୨୨ ଆର୍ଥିକ ବର୍ଷରେ ୫୬ ଲକ୍ଷର କାରବାର କରିଥିଲା କମ୍ପାନୀ । ଏବେ ୧୦ କୋଟିରୁ ଅଧିକ ଟଙ୍କାରେ ବ୍ୟବସାୟ କରୁଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.