ଦାମ ବାଣରେ ଘାଇଲା ସୂର୍ଯ୍ୟ : କହିଲେ ନିର୍ଦ୍ଧିଷ୍ଟ ତଥ୍ୟ ଦେଲେ ତଦନ୍ତ ହେବ

Published By : Prameya-News7 Bureau | September 08, 2018 IST

ଭୁବନେଶ୍ୱର ୮/୯ : ଦାମଙ୍କ ସମବାୟ ଦୁର୍ନୀତି ବାଣରେ ଛାନିଆ ହୋଇପଡିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର | ସମବାୟ ବ୍ୟାଙ୍କରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା | ତଦନ୍ତ ନିର୍ଦେଶ ଦିଆଯାଇଥିଲା | ହେଲେ ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ଦମଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହଡ଼ବଡେ଼ଇ ଯାଇଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର | ପୂର୍ବରୁ ଦାମଙ୍କ ପ୍ରତି କଥାରେ ଠୋ, ଠା ଜବାବ ଦେଉଥିବା ସୂର୍ଯ୍ୟ ଆଜି ନରମ ଗଳାରେ କହିଛନ୍ତି ଦାମ ବାବୁ ସଠିକ ତଥ୍ୟ ଦେଲେ ତଦନ୍ତ ହେବ | ରାଜ୍ୟରେ ୨୭୦୦ ସମବାୟ ସଂସ୍ଥା ରହିଛି | ତେଣୁ ନିର୍ଦ୍ଧିଷ୍ଟ ଭାବେ ଦୁର୍ନୀତି କେଉଁଠି ହେଉଛି ଦାମ ବାବୁ କହିବା ଦରକାର | ତା' ଛଡା ତାଙ୍କ ଜାଣିବାରେ ଏମିତି କିଛି ଦୁର୍ନୀତି ହୋଇଥିବା ତାଙ୍କ ନଜରକୁ ଆସିନାହିଁ ବୋଲି ସୂର୍ଯ୍ୟ ନାରାୟଣ ପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି | ସୂଚନାଯୋଗ୍ୟ ଯେ, ଦାମ ଦୁର୍ନୀତି ସମ୍ପର୍କରେ କଥା ଉଠାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାସଭବନ ପହଂଚିଥିଲେ | ଦାମ ବାବୁଙ୍କ ପ୍ରଶ୍ନର ଜବାବ ଦେବା ପୂର୍ବରୁ ସୂର୍ଯ୍ୟ ସାମ୍ବାଦିକମାନଙ୍କୁ ପଚାରିଥିଲେ-" ଦାମ ବାବୁ ଆମକୁ ଅସୁବିଧାରେ ପକାଇବାକୁ ଚାହୁଁଛନ୍ତି କି ?" ଜଣେ ବରିଷ୍ଠ ସାମ୍ବାଦିକ ଦେଇଥିବା ସୂଚନା ଅନୁସାରେ ସୂର୍ଯ୍ୟଙ୍କ ସ୍ୱର ଅତ୍ୟନ୍ତ ନରମ ଥିଲା | ତା'ଛଡା ଦାମ ବାବୁ ପଚାରିଥିବା ପ୍ରଶ୍ନର ଉତ୍ତର ସେ ସିଧାସଳଖ ଦେଇନଥିଲେ | କେବଳ ସାମ୍ବାଦିକଙ୍କ ଆବଶ୍ୟକତା ପୂରଣ କରିବାକୁ ଯାଇ ଚିରାଚରିତ କଥା କହିଥିଲେ | ଦାମ ଓ ସୂର୍ଯ୍ୟଙ୍କ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.