କୋଭିଡ ବଢ଼ାଇଛି ବାଲ୍ୟ ବିବାହ; ୫ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରୁ ଆନ୍ଧ୍ରପ୍ରଦେଶ ସବୁଠୁ ଅଧିକ
18/05/2022 at 8:39 PM

ନୂଆଦିଲ୍ଲୀ: ବାଲ୍ୟ ବିବାହ ଉପରେ ଯେତେ କଟକଣା ଲଗାଇଲେ ବି ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରୁନି। ଦେଶରେ ବିଭିନ୍ନ ରାଜ୍ୟରେ ବାଲ୍ୟ ବିବାହ ହେଉଛି। ଦକ୍ଷିଣଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରୁ ଆନ୍ଧ୍ରପ୍ରଦେଶରେ ସବୁଠାରୁ ଅଧିକ ବାଲ୍ୟ ବିବାହ ହେଉଛି ବୋଲି ଜଣାପଡ଼ିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ(NFHS-5)ରେ ଏହି ତଥ୍ୟ ସାମ୍ନାକୁ ଆସିଛି। ବାଲ୍ୟ ବିବାହରେ ଭାରତର ୫ ଦଣିଣଭାରତୀୟ ରାଜ୍ୟମାନଙ୍କ ମଧ୍ୟରୁ ଆନ୍ଧ୍ର ପ୍ରଥମରେ ରହିଛି। ଆନ୍ଧ୍ରପରେ ତେଲେଙ୍ଗାନା ଦ୍ୱିତୀୟ ଓ କେରଳ ତୃତୀୟ ସ୍ଥାନରେ ରହିଛି ବୋଲି ଗବେଷଣାରୁ ଜଣାପଡ଼ିଛି।
NFHS-5 ୨୦୧୯ ଜୁଲାଇ ୨ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଏହି ଗବେଷଣା କରିଥିଲା। ଏଥିରେ ୧୧,୩୪୬ ପରିବାର ସାମିଲ ଥିଲେ। ବିଶେଷ କରି ୨୦-୧୪ ବର୍ଷିୟା ମହିଳାମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଯେଉଁମାନଙ୍କର ବିବାହ ୧୮ ବର୍ଷ ପୂର୍ବରୁ ହୋଇସାରିଥିଲା। ସେହିପରି ୧୫-୧୯ ବର୍ଷ ଭିତରେ ଯେଉଁମହିଳାମାନେ ମାଆ ହୋଇସାରିଥିଲେ ସେମାନଙ୍କୁ ବି ଗବେଷଣାରେ ସାମିଲ୍ କରାଯାଇଥିଲା।
ତେବେ ଯଦି NFHS-4ର ଗବେଷଣାକୁ ଦେଖାଯାଏ ତେବେ ଆନ୍ଧ୍ରପ୍ରଦେଶରେ ବାଲ୍ୟ ବିବାହ ୩୩ ପ୍ରତିଶତରୁ ୨୯.୩ ପ୍ରତିଶତକୁ ହ୍ରାସ ପାଇଛି। ତଥାପି ଏହି ହାର ଅନ୍ୟ ୪ ଦକ୍ଷିଣୀ ରାଜ୍ୟ ଅପେକ୍ଷା ଅଧିକ ରହିଛି। NFHS-4 ଅପେକ୍ଷା NFHS-5ରେ କେତେକ ଜିଲ୍ଲାରେ ବାଲ୍ୟ ବିବାହ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି।
ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ରିପୋର୍ଟ ଅନୁସାରେ, (ସମନ୍ୱିତ ଶିଶୁ ବିକାଶ ସେବା) ICDS କହୁଛି କୋଭିଡ୍ ପାଇଁ କିଛି ଜିଲ୍ଲାରେ ବାଲ୍ୟ ବିବାହ ବୃଦ୍ଧି ହୋଇଛି। ଅନନ୍ତପୁରମ(୩୭.୩%) ଏବଂ ପ୍ରକାଶମ(୩୬.୯%) ଜିଲ୍ଲାରେ ବାଲ୍ୟ ବିବାହ ରେକର୍ଡ ସ୍ତରରେ ବଢ଼ିଛି। ଆନ୍ଧ୍ର ପରେ ଦ୍ୱିତୀୟ ସ୍ଥାନରେ ରହିଥିବା ତେଲେଙ୍ଗାନାରେ ବାଲ୍ୟ ବିବାହ ହାର ୨୩.୫ ପ୍ରତିଶତ, ତୃତୀୟରେ ଥିବା କର୍ଣ୍ଣାଟକରେ ୨୧.୩ ପ୍ରତିଶତ, ଚତୁର୍ଥରେ ଥିବା ତାମିଲନାଡୁରେ ୧୨.୮ ପ୍ରତିଶତ ଏବଂ ପଞ୍ଚମରେ ଥିବା କେରଳରେ ୬.୩ ପ୍ରତିଶତ ବାଲ୍ୟ ବିବାହ ହାର ରହିଛି।