ସୁରେଶ ରୈନାଙ୍କ ପରିବାର ଉପରେ ଆକ୍ରମଣ, ସଂପର୍କୀୟଙ୍କ ମୃତ୍ୟୁ, ଆଉ ଜଣେ ଜୀବନ ମରଣ ସହ ଲଢୁଛନ୍ତି

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୦୮: ପୂର୍ବତନ ଭାରତୀୟ ବରିଷ୍ଠ କ୍ରିକେଟ୍‌ର ତଥା ଚେନ୍ନାଇ ସୁପର କିଙ୍ଗ୍ସର ତାରକା ଖେଳାଳି ସୁରେଶ ରୈନା ପାରିବାରିକ ସମସ୍ୟା କାରଣରୁ ୟୁଏଇରୁ ଭାରତ ଫେରି ଆସିଛନ୍ତି। ସେ ଆଇପିଏଲର ୧୩ତମ ସଂସ୍କରଣ ଖେଳିବେ ନାହିଁ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରୈନାଙ୍କ ପରିବାର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ରୈନାଙ୍କ ନିକଟତର ସଂପର୍କୀୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ପିଉସାଙ୍କ ମୃତ୍ୟୁ ଘଟିଛି। ରୈନାଙ୍କ ସଂପର୍କୀୟଙ୍କ ଉପରେ ପଠାନକୋଟ୍‌ର ଥରିୟାଲ ଗାଁରେ ମଧ୍ୟରାତ୍ରରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଅଗଷ୍ଟ ୧୯ ରାତିରେ ହୋଇଥିଲା, ଯେତେ ବେଳେ ପରିବାର ଲୋକ ଘରର ଛାତ ଉପରେ ଶୋଇଥିଲେ। ସେହି ସମୟରେ କିଛି ଅଜଣା ଲୋକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

କୁହାଯାଉଛି ଏହି ଆକ୍ରମଣରେ ରୈନାଙ୍କ ଅପା ଆଶା ଦେବୀ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ହସ୍ପିଟାଲରେ ସେ ଜୀବନମରଣ ସହ ଲଢୁଛନ୍ତି। ଅନ୍ୟପଟେ ଆଶା ଦେବୀଙ୍କ ସ୍ଵାମୀ ଅର୍ଥାତ ରୈନାଙ୍କ ପିଉସା ଅଶୋକ କୁମାର(୫୮)ଙ୍କ ମୃତ୍ୟୁ ଘଟିଛି। ରୈନାଙ୍କ ସଂପର୍କୀୟ ଭାଇ ୩୨ ବର୍ଷୀୟ କୌଶଲ କୁମାର ଓ ୨୪ ବର୍ଷୀୟ ଅପିନ କୁମାର ଆହତ ହୋଇଛନ୍ତି। ଏହି ମାମଲାରେ ଏ ପର୍ଯ୍ୟନ୍ତ ରୈନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ସିଏସକେର ସିଇଓ କେଏସ ବିଶ୍ଵନାଥନ ଅଗଷ୍ଟ ୨୯ରେ ସାମାଜିକ ଗଣମାଧ୍ୟମରେ ସୁରେଶ ରୈନାଙ୍କ ଆଇପିଏଲରୁ ହଟିବା ନେଇ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ପୂରା ଦଳ ଏହି ସମୟରେ ରୈନାଙ୍କ ପରିବାର ସହିତ ଅଛନ୍ତି।

ସିଇଓଙ୍କ ଏହି ଟ୍ଵିଟ୍ ପରଠୁ ରୈନାଙ୍କ ପରିବାରର କିଛି ଘଟିଥିବା ସଙ୍କେତ ମିଳିଥିଲା। ରୈନା ଆଇପିଏଲ ପାଇଁ ଖୁବ୍ ପରିଶ୍ରମ କରିଥିଲେ। ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ପୂରା ଧ୍ୟାନ ଆଇପିଏଲ ଉପରେ ଥିଲା। ସେ ପଡିଆକୁ ଓହ୍ଲାଇବା ପାଇଁ ଚାତକ ଭଳି ଚାହିଁ ରହିଥିଲେ। ରୈନାଙ୍କ ଅଚାନକ ଆଇପିଏଲରୁ ହଟିବା ଏମଏସ ଧୋନୀଙ୍କ ଦଳକୁ ଶକ୍ତ ଝଟକା ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.