ମଇଦାନକୁ ଫେରୁଛନ୍ତି ଟିମ୍ ଇଣ୍ଡିଆର ଏହି ଖେଳାଳି, ଅବସର ପରେ ପୁଣି ଆସିବେ ନଜର
5/03/2023 at 5:59 PM

ନୂଆଦିଲ୍ଳୀ୦୫/୦୩: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର। ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେଇ ସାରିଥିବା ଜଣେ ଖେଳାଳି ପୁଣି ଥରେ ମଇଦାନକୁ ଫେରୁଛନ୍ତି। ଏହି ଖେଳାଳି ୨୦୧୧ରେ ବିଶ୍ବକପ୍ରେ ଭାରତୀୟ ଦଳର ଅଂଶ ଥିଲେ। ସେ ଭାରତକୁ ଅନେକ ବଡ଼ ମ୍ୟାଚ ମଧ୍ୟ ଜିତାଇଛନ୍ତି। ଅବଶ୍ୟ, ଏବେ ଏହି ଖେଳାଳି ଗୋଟିଏ ଟି ୨୦ ଲିଗ୍ରେ ନଜର ଆସିବେ। ଏହି ଲିଗ୍ ମାର୍ଚ୍ଚ ୧୦ ରେ କାତାରର ଦୋହାରେ ହେବାକୁ ଯାଉଛି।
ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲଏଲସି) ମାଷ୍ଟର୍ସରେ ନଜର ଆସିବେ। କାତାରର ଦୋହାରେ ଖେଳାଯିବାକୁ ଥିବା ଏଲଏଲସି ଲିଗ୍ରେ ରାଇନା ଇଣ୍ଡିଆ ମହାରାଜାର ପ୍ରତିନିଧିତ୍ବ କରିବେ। ଲିଗ୍ ଦୋହାର ଏସିଆନ ଟାଉନ କ୍ରିକେଟ ଷ୍ଟାଡିୟମରେ ୧୦ ମାର୍ଚ୍ଚରୁ ଆରମ୍ଭ ହେବ। ଏଲଏଲସିରେ ମାଷ୍ଟର୍ସରେ ତିନି ଟିମ୍ରେ ଭାଗ ନେବେ, ଯେଉଁଥିରେ ଇଣ୍ଡିଆ ମହାରାଜା, ଏସିଆ ଲାୟନ୍ସ ଏବଂ ଓ୍ବାର୍ଲ୍ଡ ଜାଏଣ୍ଟ୍ସ ସାମିଲ ଅଛନ୍ତି।
ଏଲଏଲସି ମାଷ୍ଟର୍ସ ସହ ଯୋଡ଼ି ହୋଇ ଖୁବ୍ ଉତ୍ସାହିତ ଥିବା କହିଛନ୍ତି ରାଇନା। ସେ କହିଛନ୍ତି ଏଭଳି ଏକ ଫର୍ମାଟରେ ଆମେ ପୁଣି ଥରେ ଭାରତକୁ ପ୍ରତିନିଧିତ୍ବ କରିବୁ। ନିଜ ଦେଶର ପ୍ରତିନିଧିତ୍ବ କରିବା ସବୁବେଳେ ଖୁସିର କଥା। ଟ୍ରଫି ଜିତିବା ଉପରେ ଆମର ଧ୍ୟାନ ରହିବ ବୋଲି କହିଛନ୍ତି ସୁରେଶ ରାଇନା। ଲିଜେଣ୍ଡସ ଲିଗ୍ କ୍ରିକେଟ୍ ମାଷ୍ଟର୍ସର ପ୍ରଥମ ମ୍ୟାଚ୍ ଇଣ୍ଡିଆ ମହାରାଜା ଏବଂ ଏସିଆ ଲାୟନ୍ସ ମଧ୍ୟରେ ୧୦ ମାର୍ଚ୍ଚରେ ଖେଳାଯିବ।.
ସୂଚନାଯୋଗ୍ୟ, କ୍ୟାରିୟରେ ରାଇନା ୧୮ ଟେଷ୍ଟ, ୨୨୬ ଓ୍ବାନଡେ (୫୬୧୫ ରନ୍) ଏବଂ ୭୮ ଟି-୨୦ (୧୬୦୫ ରନ୍) ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ରାଇନା କ୍ରିକେଟର ତିନି ଫର୍ମାଟରେ ଶତକ କରିଥିବା ପ୍ରଥମ ଭାରତୀୟ ମଧ୍ୟ। ସେ ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରିଥିଲେ। ତେବେ ସେ ଏବେ ପୁଣି ଥରେ ଖେଳିବାକୁ ପସ୍ତୁତ ହୋଇଛନ୍ତି।