ଚେନ୍ନାଇ ସୁପରକିଙ୍ଗ୍ସକୁ ଫେରିବାକୁ ସଙ୍କେତ ଦେଲେ ସୁରେଶ ରୈନା, କହିଲେ- ଭାରତ ଫେରିବା ବ୍ୟକ୍ତିଗତ ନିଷ୍ପତ୍ତି ଥିଲା, ଦଳକୁ ଫେରିପାରେ
2/09/2020 at 4:52 PM

ନୂଆଦିଲ୍ଲୀ ୦୨।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରୁ ଅଚାନକ ହଟିବା ଉପରେ ନିଜର ନିରବତା ଭାଙ୍ଗିଛନ୍ତି ସୁରେଶ ରୈନା। ସେ ନିଜ ପରିବାର ପାଇଁ ଭାରତ ଫେରିଛନ୍ତି ଏବଂ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଟୂର୍ଣ୍ଣାମେଣ୍ଟ ପାଇଁ ପୁଣି ଥରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସକେ)ରେ ଯୋଗ ଦେଇ ପାରନ୍ତି ବୋଲି କହିଛନ୍ତି।
ମହେନ୍ଦ୍ର ସିଂହ ଧୋନୀଙ୍କ ସହିତ ଅଗଷ୍ଟ ୧୫ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିବା ରୈନା ତାଙ୍କର ଏବଂ ଫ୍ରାଞ୍ଚାଇଜି ମଧ୍ୟରେ ମତଭେଦ ଥିବା ଖବରକୁ ଖଣ୍ଡନ କରିଛନ୍ତି। ସିଏସକେର ୧୩ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ଏଥିରେ ଦୁଇ ଖେଳାଳି ସାମିଲ ଥିଲେ। ରୈନା ଦଳରୁ ହଟିଯିବାର କାରଣ ଏହା ଥିଲା ବୋଲି କୁହାଯାଇଥିଲା।

୩୩ ବର୍ଷୀୟ ରୈନା କ୍ରିକବଜ୍କୁ କହିଛନ୍ତି ଭାରତ ଫେରିବା ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଓ ମୋତେ ନିଜର ପରିବାର ପାଇଁ ଫେରିବାକୁ ପଡିଥିଲା। ଘରର ସ୍ଥିତି ଏମିତି ଥିଲା, ଯାହାର ସମାଧାନ କରିବା ଜରୁରୀ ଥିଲା। ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟ ମୋର ପରିବାର ଏବଂ ମାହି ଭାଇ ମୋ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ଦଳରୁ ଅଚାନକ ଚାଲି ଆସିବା ମୋ ପାଇଁ କଠିନ ନିଷ୍ପତ୍ତି ଥିଲା।
ସେ କହିଛନ୍ତି ସିଏସକେ ଓ ମୋ ମଧ୍ୟରେ କୌଣସି ସମସ୍ୟା ନାହିଁ। କେହି ବି ୧୨.୫ କୋଟି ଟଙ୍କାକୁ ଅଣଦେଖା କରି ପାରିବେ ନାହିଁ। ହୋଇପାରେ ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ଅବସର ନେଇ ସାରିଛି ମାତ୍ର ଏବେ ମଧ୍ୟ ମୁଁ ଯୁବା ଏବଂ ଆଗାମୀ ଚାରି ପାଞ୍ଚ ବର୍ଷ ଆଇପିଏଲ ଖେଳିବାକୁ ଚାହୁଁଛି।

ଯେତେବେଳେ ତାଙ୍କୁ ସିଏସକେ ସହିତ ତାଙ୍କ ଭବିଷ୍ୟତ ବିଷୟରେ ପ୍ରଶ୍ନ କରାଗଲା, ସେ ଦୁବାଇରେ ଦଳ ସହ ଯୋଗ ଦେବାର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ମୁଁ ଏଠାରେ ପୃଥକ ବାସ ସମୟରେ ଅଭ୍ୟାସ କରୁଛି। ହୋଇପାରେ ମୋତେ ଆପଣମାନେ ଶୀଘ୍ର ଦୁବାଇରେ ଦଳ ଶିବିରରେ ଦେଖିବେ।
ଯେବେ ସିଏସକେର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କାଶୀ ବିଶ୍ଵନାଥନଙ୍କୁ ରୈନାଙ୍କ ଫ୍ରାଞ୍ଚାଇଜି ସହିତ ଭବିଷ୍ୟତ ବିଷୟରେ ପଚରାଗଲା, ସେ କହିଥିଲେ ଦଳ ସମସ୍ତ ଖେଳାଳିଙ୍କୁ ପୂରା ସମର୍ଥନ କରିଥାଏ। ସେ କହିଥିଲେ ଯେ ରୈନା ଚଳିତ ସଂସ୍କରଣରେ ଦଳ ପାଇଁ ଉପଲବ୍ଧ ନାହାନ୍ତି। ତାଙ୍କର କିଛି ବ୍ୟକ୍ତିଗତ ସମସ୍ୟା ରହିଛି। ସେଥିପାଇଁ ଯେବେ ସେ ଫିଟ୍ ହେବେ ତେବେ ଦଳକୁ ଫେରି ପାରିବେ।