ସୁରତରୁ ଆସୁଛନ୍ତି ପ୍ରବାସୀ ଓଡିଆ, ୪ଟି ବସ୍ରେ ଗଞ୍ଜାମ ଅଭିମୁଖେ ଆସୁଛନ୍ତି ୧୫୦ରୁ ଅଧିକ ଲୋକ
29/04/2020 at 10:07 AM

ବ୍ରହ୍ମପୁର ୨୯।୦୪: ସୁରତରୁ ଆସୁଛନ୍ତି ପ୍ରବାସୀ ଓଡିଆ । ୧୫୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଉ ୪ଟି ବସ୍ ସୁରତରୁ ଗଞ୍ଜାମ ଅଭିମୁଖେ ବାହାରିଛି । ସୁରତର ହରିନଗର ଅଞ୍ଚଳରୁ ୩ଟି ବସ ଛାଡ଼ିଥିବା ବେଳେ ଭେସ୍ତାନ ଅଞ୍ଚଳରୁ ଗୋଟିଏ ବସ୍ ଛାଡ଼ିଥିବା ଜଣାପଡ଼ିଛି । ପ୍ରତି ବସ୍ ରେ ୩୬ଜଣ ଲେଖାଏଁ ଯାତ୍ରୀ ନେବାକୁ ସେଠା ପ୍ରଶାସନ ଅନୁମତି ପ୍ରଦାନ କରିଛି । ତେବେ ଏହାଠାରୁ କିଛି ଅଧିକ ଯାତ୍ରୀ ରହିଥିବା ଜଣାପଡ଼ିଛି ।

ଗଞ୍ଜାମର ଜଗନ୍ନାଥପ୍ରସାଦ ଅଭିମୁଖେ ୨ଟି, ଶେରଗଡ଼ ବ୍ଲକ୍ ତାକରଡ଼ା ଏବଂ ଭଞ୍ଜନଗର ଓଡ଼ଗାଁ ଅଭିମୁଖେ ଗୋଟିଏ ଲେଖାଏଁ ବସ ଛାଡ଼ିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଆଉ ୪ ବସ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରିବା ଜଣାପଡିଛି । ସୋମବାର ୨୨୮ଜଣ ଶ୍ରମିକଙ୍କୁ ନେଇ ବାହାରିଥିବା ୪ ବସ୍ ଆଜି ଗଞ୍ଜାମ ଭଞ୍ଜନଗରରେ ପହଞ୍ଚିବ । ଦୁଇ ଦିନ ହେଲା ସୁରତରୁ ୮ଟି ବସ୍ ରେ ପ୍ରାୟ ୪୦୦ ଶ୍ରମିକ ଆସୁଛନ୍ତି । ତେବେ ସମସ୍ତ ଯାତ୍ରୀ କୋଭିଡ଼୍ -୧୯ ନିୟମବାଳୀ ମାନିବା ବାଧ୍ୟତାମୂଳକ ରହିଛି । ଲକ୍ ଡାଉନ୍ ଅବଧି ସରିବା ପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଥିଲେ। ଗୁଜାରାଟରେ ଥିବା ଓଡ଼ିଆ ଶ୍ରମିକଙ୍କୁ ଆଣିବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଆଲୋଚନା କରିଥିଲେ । ଟ୍ରେନ ନଚାଲିଲେ ବସ୍ ରେ ଆଣିବା ଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ କହିଥିଲେ । ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକଙ୍କୁ ଆଣିବା ଲାଗି ଏକ ଏସ୍ଓପି ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ ବି କରିଥିଲେ ।