ନୂଆଦିଲ୍ଲୀ, ୦୫/୦୧: ଗିରଫ ହେଲା କୁଖ୍ୟାତ ତେଲ ମାଫିଆ। ୪୦୦ କୋଟିର ତେଲ ଚୋରି ନେଇ ଅଭିଯୋଗ ରହିଛି ଏହି ମାଫିଆ ନାଁରେ। ଆଉ ଏବେ ପୋଲିସ ଗୁଜରାଟର ସୁରଟର ଏହି ତେଲ ମାଫିଆର ପର୍ଦ୍ଦାଫାଶ କରିଛି। ଏହି ଚୋର ଗୁଜରାଟ ସହ ବିଭିନ୍ନ ରାଜ୍ୟରେ ଥିବା ତେଲ କମ୍ପାନୀଙ୍କ ପାଇପଲାଇନରୁ ତେଲ ଚୋରି କରି ମୋଟା ଅଙ୍କର ଆୟ କରୁଥିଲା। ମାଫିଆ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସନ୍ଦୀପ ଗୁପ୍ତାଙ୍କୁ ଗିରଫ କରିଛି ସୁରଟ କ୍ରାଇମବ୍ରାଞ୍ଚ। ସନ୍ଦୀପ ଧରାପଡ଼ିବାରେ ଅନୁମାନ କରାଯାଉଛି ଏହି ନେଟଓ୍ବର୍କର ଆହୁରି ବଡ଼ ମୁହଁର ପର୍ଦ୍ଦାଫାଶ ହୋଇପାରେ।
ସନ୍ଦୀପ ବିରୋଧରେ ପଶ୍ଚିମବଙ୍ଗ, ଗୁଜରାଟ, ହରିୟାଣା, ରାଜସ୍ଥାନରେ ୨୦ ରୁ ଅଧିକ ମାମଲା ରହିଛି। ଏହା ବ୍ୟତୀତ ବିହାର ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ତେଲ ଚୋରି ନେଇ ଅପରାଧିକ ମାମଲା ରହିଛି। ସନ୍ଦୀପର ଗିରଫ ନେଇ ସୁରଟ ପୋଲିସ କମିଶନର ଅଜୟ କୁମାର ତୋମାର କହିଛନ୍ତି ଯେ ସନ୍ଦୀପ ବିରୋଧରେ ଗିରଫ ପାଇଁ ଗିରଫ ପରଓ୍ବାନ(ଆରେଷ୍ଟ ଓ୍ବାରେଣ୍ଟ) ଜାରି କରାଯାଇଥିଲା।
ସନ୍ଦୀପ ଏହାର କଳା କାରନାମା ଦକ୍ଷିଣ ଗୁଜରାଟରୁ ଆରମ୍ଭ କରିଥିଲା। ଏହା ପରେ ତେଲ ଚୋରି କରୁଥିବା ଅନ୍ୟ ମାଫିଆଙ୍କ ସହ ତାହାର ବନ୍ଧୁତା ହୋଇଥିଲା। ପରେ ସେ ଏକ ସିଷ୍ଟମ କରିଥିଲା। ଏଥିରେ ସେ ଯେଉଁଠାରେ ବି ଓଏନଜିସି ଏବଂ ଇଣ୍ଡିଆନ ଅଏଲର ପାଇପଲାଇନ୍ ବାହାରିଥିଲା, ସେ ଏହାର ଆଖପାଖ ଅଞ୍ଚଳରେ କୌଣସି ଫ୍ୟାକ୍ଟ୍ରି ଭଡ଼ାରେ ନେଉଥିଲା। ଏହାପରେ ଗ୍ୟାଙ୍ଗର ଲୋକମାନେ ପାଇପଲାଇନରୁ ତେଲ ଚୋରିକରି ଟ୍ୟାଙ୍କର ଫୁଲ୍ କରୁଥିଲେ। ସୂଚନା ଅନୁଯାୟୀ ସେ ୩୦୦-୪୦୦ କୋଟି ଟଙ୍କାର ତେଲ ଚୋରି କରିଛି। ତେବେ ସନ୍ଦୀପ ଧରାପଡ଼ିବା ପୋଲିସ୍ ପାଇଁ ବଡ଼ ସଫଳତା।