କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣା : ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

Published By : Prameya-News7 Bureau | May 25, 2019 IST

ସୁରଟ ୨୫|୫: ଗୁଜରାଟ ସୁରଟରେ କୋଚିଂ ସେଣ୍ଟରରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ୧୮ ଗୁରୁତରଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ।  ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଗତକାଲି ସଂଧ୍ୟାରେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ସୁରଟ ସର୍ଥାନା ଅଞ୍ଚଳରେ ଥିବା ତକ୍ଷଶିଳା କପ୍ଲେକ୍ସରେ ଚାଲିଥିବା କୋଚିଂ ସେଣ୍ଟରର ଉପର ଫ୍ଲୋରରେ ନିଆଁ ଲାଗିବା ପରେ କିଛି ଛାତ୍ର ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଉ କିଛି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ, କିଛି ଛାତ୍ର ଭୟରେ ଉପର ମହଲାରୁ ତଳକୁ ଡେଇଁ ପଡିଥିଲେ ।

{"id":115686}

ଏ ଦୃଶ୍ୟ ଥିଲା ଅତି ହୃଦୟ ବିଦାରକ । ସେମାନଙ୍କ ମଧ୍ୟରୁ ମଧ୍ୟ କିଛି ଜଣ ମୃତାହତ ହୋଇଛନ୍ତି । ତଳେ ଥିବା ଲୋକ ଏହି ଛାତ୍ରଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ଅଗ୍ନିକାଣ୍ଡ ସମୟରେ ୫୦ରୁ ଅଧିକ ଛାତ୍ର ଓ ଶିକ୍ଷକ ବିଲ୍ଡିଂରେ ଉପସ୍ଥିତ ଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ ମଧ୍ୟ ରହିଛନ୍ତି । ଘଟଣା ସ୍ଥଳରେ ୧୮ଟି ଦମକଳ ଗାଡ଼ି ନିୟୋଜିତ ହୋଇ ଆଗ୍ନକାଣ୍ଡକୁ ଆୟତ୍ତ କରିଥିଲା ।

ଏହି ଦୁଃଖଦାୟକ ଘଟଣା ପରେ ଅହମ୍ମଦାବାଦ ସହରର ସମସ୍ତ କୋଚିଂ ସେଣ୍ଟର ସାମୟିକ ସମୟ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅହମ୍ମଦାବାଦ ମ୍ୟୁନିସାପାଲ କର୍ପୋରେସନ । ଏହି ଭୟାବହ ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଅଗ୍ନିକାଣ୍ଡରୁ ବଞ୍ଚିବା ପାଇଁ ଛାତ୍ରମାନେ ଚାରି ମହଲା ଉପରୁ ତଳକୁ ଡେଉଁଥିବା ଦେଖିବାକୁ ମିଳିଛି ।

{"id":115687}

ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଦଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମସ୍ୟ ପ୍ରକାର ସହାୟତା ଯୋଗାଇ ଦେବାକୁ ମୋଦି କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ପ୍ରମୁଖ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.