କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ, ସୋ’ କଜ୍ ନୋଟିସ୍ର ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ
8/09/2023 at 11:30 AM

ଭୁବନେଶ୍ବର ୮।୯: କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ହେଉଛନ୍ତି ମନ୍ମଥ ରାଉତରାୟ । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନହେବା ନେଇ ମିଡିଆରେ କହିଥିଲେ ମନ୍ମଥ । ଫଳରେ ତାଙ୍କୁ ସୋ’ କଜ୍ ନୋଟିସ୍ ମଗାଯାଇଥିଲା । ସୋ’ କଜ୍ ନୋଟିସର ଉତ୍ତର ନଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ବୁଧବାର ଦିନ ସୁରଙ୍କ ପୁଅ ମନ୍ମଥ ରାଉତରାୟ କହିଥିଲେ ଜଟଣୀରୁ ଠିଆ ହେବେ ହେଲେ କଂଗ୍ରେସରୁ ଲଢ଼ିବେନି । ଗୁରୁତର ବାପା ସୁର ରାଉତରାୟ ତାଙ୍କ ଷ୍ଟାଇଲରେ କହିଥିଲେ, ପୁଅ ଲଢ଼ିବ ଆଉ କଂଗ୍ରେସରୁ ଅଲବତ ଲଢ଼ିବ । ମନ୍ମଥଙ୍କ ମନ୍ତବ୍ୟକୁ ୨୪ ଘଣ୍ଟା ନପୁରୁଣୁ ସୁର ରାଉତରାୟଙ୍କ ସ୍ପଷ୍ଟୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ନୂଆ ନୂଆ ରାଜନୀତି କରୁଛନ୍ତି । ବାପା ସୁର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ଜିତିଛନ୍ତି । ରାଜ୍ୟ ରାଜନୀତିରେ ଜଣେ ପୁରୁଖା କଂଗ୍ରେସ ନେତା ଭାବେ ସୁର ରାଉତରାୟ ବେଶ ଜଣାଶୁଣା । ଆଗକୁ ସୁର ଆଉ ନିର୍ବାଚନ ଲଢ଼ିବେ ନାହିଁ ଏବଂ ତାଙ୍କ ସ୍ଥାନରେ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିସାରିଛନ୍ତି ଖୋଦ୍ ସୁର ରାଉତରାୟ । ଏହାରି ଭିତରେ ପାଇଲଟ୍ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଛନ୍ତି । କିନ୍ତୁ ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ମଥ କହିଥିଲେ ଯେ, ଆଗାମୀ ନିର୍ବାଚନରେ ସେ ଜଟଣୀରୁ ପ୍ରାର୍ଥୀ ହେବେ ହେଲେ କଂଗ୍ରେସରୁ ନୁହେଁ । କାରଣ ତାଙ୍କ ଟିମ୍ କୁଆଡ଼େ କରିଥିବା ସର୍ଭେ କହୁଛି ଜଟଣୀବାସୀ ତାଙ୍କୁ କଂଗ୍ରେସରୁ ଦେଖିବାକୁ ଚାହୁଁନାହାନ୍ତି । ତେବେ ସେ କେଉଁ ପାର୍ଟିରୁ ଲଢ଼ିବେ ଆସନ୍ତା ଅକ୍ଟୋବର ମାସରେ ତାହା ସ୍ପଷ୍ଟ କରିବେ ।
ମନ୍ମଥଙ୍କ ଏହି ପ୍ରତିକ୍ରିୟାକୁ ୨୪ ଘଣ୍ଟା ପୂରିନି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ବାପା ସୁର ରାଉତରାୟ । ତାଙ୍କ ଷ୍ଟାଇଲରେ କହିଥିଲେ ପୁଅ କଂଗ୍ରେସରୁ ଲଢ଼ିବ, ଅଲବତ ଲଢ଼ିବ । ତାହା ବି ଜଟଣୀ ଆସନରୁ । ପୁରୁଣା କଥାକୁ ପୁଣି ଦୋହରାଇଥିଲେ ସୁର । ସେ କହିଥିଲେ, ଆଗାମୀ ନିର୍ବାଚନରେ ସେ ଲଢ଼ିବେ ନାହିଁ । ଜଟଣୀରୁ ତାଙ୍କ ସାନ ପୁଅ ମନ୍ମଥ ଲଢ଼ିବେ । ସାନ ପୁଅକୁ କୁଆଡ଼େ ଏବେ ଉଭୟ ବିଜେଡି ଓ ବିଜେପି ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରତ୍ୟେକ୍ଷ ରାଜନୀତିରେ ସାନ ପୁଅର ସେତେଟା ଅଭିଜ୍ଞତା ନାହିଁ । ତେଣୁ ସେ ଚପଳା ମନରେ କଂଗ୍ରେସରୁ ଲଢ଼ିବାକୁ ମନା କରିଦେଇଛି । କିନ୍ତୁ ସାନ ପୁଅ କଂଗ୍ରେସରୁ ଅଲବତ ଲଢ଼ିବ । ଜଟଣୀ ଆସନରୁ କଂଗ୍ରେସ ଟିକେଟ୍ ମୋ ପୁଅ ମନ୍ମଥକୁ ମିଳିବ । ଜଟଣୀବାସୀ ଓ ମୁଁ ତାକୁ ଜିତାଇବାର ଦାୟିତ୍ବ ନେବୁ । ଏନେଇ ସାନ ପୁଅ ସହ କଥା ହୋଇଥିବା ସୁର ରାଉତରାୟ କହିଥିଲେ ।

You Can Read :