ଭୁବନେଶ୍ଵର: କଂଗ୍ରେସରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ। ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସୋମବାର ସୂଚନା ଦିଆଯାଇଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୁଦ୍ଧରେ ଏଆଇସିସି କାର୍ଯ୍ୟାନୁଷ୍ଠାନ ନେଇଛି। ନିକଟରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ତେବେ ନିକଟରେ ପୁଅ ମନ୍ମଥ ପାଇଁ ସେ ପ୍ରଚାର କରୁଥିବା ଏବଂ ବିଜେଡି କାର୍ଯ୍ୟାଳୟରେ ତାଙ୍କୁ ଦେଖିବାକୁ ମିଳିଥିଲା।
ନିକଟରେ ସୁରଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ନିଜ ପୁଅ ତଥା ବିଜେଡିର ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ୍ ଦେବାକୁ ଅପିଲ୍ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଗୁରୁତର ସହ ଗ୍ରହଣ କରି କଂଗ୍ରେସ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ଏହାର ଜବାବରେ ଜଟଣୀର ବିଧାୟକ ସୁର କହିଥିଲେ ଯେ, ସେ କୌଣସି ରାଜନୈତିକ ଭାଷଣ ଦେଇ ନାହାନ୍ତି କି ପୁଅ ପାଇଁ ପ୍ରଚାର କରି ନାହାନ୍ତି। ଏଆଇସିସି ଓ ପିସିସି ଯାହା ଦଣ୍ଡ ଦେବେ ଗ୍ରହଣ କରିବି।
ତେବେ ଗତକାଲି ଅର୍ଥାତ ଏପ୍ରିଲ ୧୪ ତାରିଖରେ ସୁରଙ୍କୁ ବିଜେଡି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। ଶନିବାର ଜୟଦେବ ନିର୍ବାଚନମଣ୍ଡଳୀ ବାଲିପାଟଣା ବ୍ଲକ ଅଠାନ୍ତର ମେଡିକାଲ୍ ଛକରେ ଥିବା ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ବିଜେଡି କର୍ମୀଙ୍କ ସହ ଆଲୋଚନା କରିଥିଲେ। ପୁଅ ମନ୍ମଥଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ। କେବଳ ଏତିକି ନୁହେଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଶଂସା କରିଥିଲେ। କଂଗ୍ରେସ ଦଳରେ ଥାଇ ବିଜେଡିକୁ ପ୍ରଶଂସା କରିବା ଏବଂ ପୁଅ ପାଇଁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ୍ କରିବା ରାଜନୀତି ମାହୋଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ବରିଷ୍ଠ ନେତାଙ୍କ ଏତାଦୃଶ୍ୟ ଦେଖିବା ପରେ ଏଆଇସିସି କଠୋର କାର୍ଯ୍ୟାନୁଷ୍ଠାନ ନେଇଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ କରାଯାଇଛି। ସୂଚନାଯୋଗ୍ୟ, ସୁର ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ଏହା ସହିତ ମାର୍ଚ୍ଚ ୨୭ ତାରିଖରେ କଂଗ୍ରେସର ବିଭିନ୍ନ ପଦ ପଦବୀ ଛାଡ଼ିଥିଲେ ସୁର। କଂଗ୍ରେସର ବିଭିନ୍ନ ପଦ ଛାଡିବା ପରେ ବି ସେ କଂଗ୍ରେସରେ ରହିବେ ବୋଲି କହିଥିଲେ। କିନ୍ତୁ ସୁର ଦଳୀୟ ନୀତି ନିୟମକୁ ଉଲ୍ଲଂଘନ କରି ଖୋଲାଖୋଲି ନିଜ ପୁଅ ତଥା ବିଜେଡି ପ୍ରାର୍ଥୀ ମନ୍ମଥଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିବା ତାଙ୍କୁ ଏବେ ମହଙ୍ଗା ପଡ଼ିଛି। ଆଉ ଶେଷରେ କଂଗ୍ରେସରୁ ବିଦା ହୋଇଛନ୍ତି ଏହି ବରିଷ୍ଠ ନେତା।
ସୂଚନାଯୋଗ୍ୟ, ସୁର ରାଉତରାୟ ୧୯୭୭ରେ ଜନତା ଦଳ ଟିକେଟରେ ନିର୍ବାଚନ ଲଢି ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୮୦, ୧୯୮୫, ୧୯୯୫, ୨୦୦୦ ଏବଂ ୨୦୧୯ରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ଵନ୍ଦ୍ଵିତା କରି ମୋଟ୍ ଛଅ ଥର ଜଟଣୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।