ମଣିପୁର ହିଂସାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ବିସ୍ଥାପିତଙ୍କୁ ଘରକୁ ଫେରାଇ ଆଣ

Published By : Prameya-News7 Bureau | May 08, 2023 IST

ନୂଆଦିଲ୍ଲୀ ୦୮/୦୫: ମଣିପୁର ହିଂସାକୁ ନେଇ ସୋମବାର  ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି। କୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରଶ୍ନର ଜବାବ ମାଗିଛନ୍ତି। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ବିସ୍ଥାପିତମାନଙ୍କୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଓ ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ କହିଛନ୍ତି।

କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ପକ୍ଷରୁ କୋର୍ଟରେ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ଏହି ମାମଲାକୁ ପରିଚାଳନା କରୁଛନ୍ତି। ସମସ୍ତ ଜରୁରି ପଦକ୍ଷେପ ନିଆଯାଉଛି ବୋଲି ସେ ସର୍ବୋଚ୍ଚ ନ୍ୟାୟାଳୟକୁ କହିଛନ୍ତି। ଏହା ସହିତ ସେ ଆହୁରି କହିଛନ୍ତି ମାମଲା ନିୟନ୍ତ୍ରଣକୁ ଆସିବା ପରେ କୋର୍ଟ ଆରକ୍ଷଣ ଉପରେ ଆଲୋଚନା କରିବା ଉଚିତ୍। ଆସନ୍ତା ମେ ୧୭ରେ ସୁପ୍ରିମ୍‌କୋର୍ଟ ଯାଚିକାର ପରବର୍ତ୍ତୀ ଶୁଣାଣି କରିବେ।  

ପ୍ରଧାନ ବିଚାରତପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଖଣ୍ଡପୀଠ ସଲିସିଟର ଜେନେରାଲଙ୍କର ଦଲିଲଗୁଡ଼ିକ ରେକର୍ଡ କରିଛନ୍ତି। କୋର୍ଟ କେନ୍ଦ୍ର ଓ ମଣିପୁର୍‌ରେ ରିଲିଫ୍‌ କ୍ୟାମ୍ପ୍‌, ବିସ୍ଥାପିତମାନଙ୍କର ଥଇଥାନ ଧାର୍ମିକ ସ୍ଥାନମାନଙ୍କର ସୁରକ୍ଷା କଥା କହିଛନ୍ତି। ଗୋଟିଏ ସପ୍ତାହ ପରେ ଏହି ମାମଲାରେ କୋର୍ଟ ଅପ୍‌ଡେଟ୍‌ ରିପୋର୍ଟ ମାଗିଛନ୍ତି। ସୁପ୍ରିମ୍‌କୋର୍ଟ କେନ୍ଦ୍ର ଓ ରାଜ୍ୟ ସରାକାରଙ୍କୁ ସେଠାରେ ଉପଲବ୍ଧ ଥିବା ସୁବିଧାଗୁଡ଼ିକର ବିସ୍ତୃତ ତଥ୍ୟ ମାଗିଛନ୍ତି।

ଏହା ଛଡ଼ା ସୁପ୍ରିମ୍‌କୋର୍ଟ ମଣିପୁର ହାଇକୋର୍ଟର ଆଦେଶ ଉପରେ ପ୍ରଶ୍ନ କରିଛନ୍ତି, ଯେଉଁଥିରେ ରାଜ୍ୟ ସରକାରଙ୍କୁ ଅନୁସୂଚିତ ଜନଜାତି ସୂଚିରେ, ମେଇତେଇ ସମୁଦାୟକୁ ସାମିଲ୍‌ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକମାନଙ୍କର ସୁରକ୍ଷା, ଉଦ୍ଧାର ଏବଂ ଥଇଥାନ  ଆମର ତତ୍କାଳୀନ ଲକ୍ଷ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ‘’ଲୋକମାନଙ୍କର ମୃତ୍ୟୁ ଏବଂ ଧନ ସମ୍ପତ୍ତି କ୍ଷୟକ୍ଷତିକୁ ନେଇ ଆମେ ଅଧିକ ଚିନ୍ତିତ। ସୁପ୍ରିମ୍‌କୋର୍ଟକୁ ଆସିଥିବା ମାମଲା ରାଜ୍ୟରେ ଅଧିକ ଅସ୍ଥିରତା ସୃଷ୍ଟିର କାରଣ ନହେଉ’’ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଦର୍ଶାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.