ତିନି ବର୍ଷ ଧରି କରୁଥିଲେ କ’ଣ ? ବିଲ୍‌ ଝୁଲାଇ ରଖିବାକୁ ନେଇ ତାମିଲନାଡ଼ୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ବିଧାନସଭା ବିଲ୍‌ ଅଟକାଇ ରଖିବାକୁ ନେଇ ପଞ୍ଜାବ ଏବଂ କେରଳ ରାଜ୍ୟପାଳଙ୍କୁ ଭର୍ତ୍ସନା ମାମଲା ମଧ୍ୟରେ, ଏବେ ସୁପ୍ରିମକୋର୍ଟ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ମଧ୍ୟ ସମାନ ପ୍ରସଙ୍ଗରେ କଡ଼ା ଟିପ୍ପଣୀ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ତାମିଲନାଡୁ ରାଜ୍ୟପାଳଙ୍କୁ କହିଛନ୍ତି ’ଆପଣ ଏଭଳି ଭାବରେ ତିନି ବର୍ଷ ଯାଏଁ ବିଲ୍‌କୁ କିପରି ଝୁଲାଇ ରଖିଥିଲେ ? କୋର୍ଟ କହିଥିଲେ ଆପଣ ଏହାର କ’ଣ କରୁଥିଲେ ?’

ସୂଚନାଥାଉକି, ଅଦାଲତଙ୍କ ଏହି ଟିପ୍ପଣୀ ରାଜ୍ୟପାଳ ଆରଏନ ରବିଙ୍କ ତରଫରୁ ୧୦ ବିଲ୍‌ ପୁନଶ୍ଚ ରାଜ୍ୟ ସରକାରଙ୍କ ପାଖକୁ ପଠାଇବା ପରେ ଆସିଛି। ତାମିଲନାଡୁ ରାଜ୍ୟପାଳ ଆର.ଏନ. ରବି ଯେଉଁ ୧୦ ବିଧେୟକଙ୍କୁ ଫେରାଇଛନ୍ତି, ତାହା ମଧ୍ୟରୁ ୨ ବିଲ୍‌କୁ ପୂର୍ବତନ ଏଆଇଏଡିଏମକେ ସରକାରଙ୍କ ସମୟରେ ମଞ୍ଜୁରୀ ମିଳିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରି କହିଥିଲେ ଯେ, ‘ବିଲ୍‌ ୨୦୨୦ରୁ ପଡ଼ିରହିଛି। ଆପଣ କାହିଁକି ତିନି ବର୍ଷ ଧରି ବିଲ୍‌କୁ ଅଟକାଇ ରଖିଥିଲେ। ଏହାର ଆପଣ କ’ଣ କରୁଥିଲେ।’

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ: କହିଲେ- ‘ଆପଣ ନିଆଁ ସହ ଖେଳୁଛନ୍ତି…’

ତେବେ ରାଜ୍ୟପାଳଙ୍କ ଠାରୁ ଫେରିବା ପରେ ବିଧାନସଭା ଶନିବାର ସ୍ବତନ୍ତ୍ର ଅଧିବେଶନ ରଖାଯାଇଥିଲା। ଏହି ଅଧିବେଶନରେ ସବୁ ୧୦ ବିଧେୟକକୁ ପୁଣି ଥରେ ପାରିତ କରାଯାଇଥିଲା ଏବଂ ରାଜ୍ୟପାଳଙ୍କୁ ପୁଣି ମଞ୍ଜୁରୀ ପାଇଁ ପଠାଯାଇଛି। ସେପଟେ ବେଞ୍ଚ ଡି​‌ସେମ୍ବର ୧ରେ ଆଗାମୀ ଶୁଣାଣି କରିବେ।

ସୂଚନାଥାଉକି, କେରଳ ଏବଂ ପଞ୍ଜାବ ମାମଲାରେ ମଧ୍ୟ ଶୀର୍ଷ ଅଦାଲତ ଏଭଳି ଭାବରେ ଶୁଣାଣି ହୋଇଥିଲା। କୋର୍ଟ କହିଥିଲେ ଯେ ଗଭର୍ଣ୍ଣର ବିଧାନସଭା ବିଲ୍‌କୁ ନଫେରାଇ ତାକୁ ରୋକି ପାରିବେ କି ? ପଞ୍ଜାବ ରାଜ୍ୟପାଳ ବନବାରୀ ଲାଲ ପୁରୋହିତଙ୍କୁ ଗତ ସପ୍ତାହ ସୁପ୍ରିମକୋର୍ଟ ପରାମର୍ଶ ଦେଇ କହିଥିଲେ ଯେ, ସରକାରଙ୍କ ସହ ମିଶି କାମ କରନ୍ତୁ।

ଆହୁରି ପଢ଼ନ୍ତୁ: ‘ରାଜ୍ୟପାଳଙ୍କୁ ଜଣାଥିବା ଦରକାର ଯେ ତାଙ୍କୁ ଜନତା ନିର୍ବାଚିତ କରିନାହାଁନ୍ତି’, ପଞ୍ଜାବ ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

କୋର୍ଟରେ ଡିଏମକେ ସରକାର କହିଥିଲେ ଯେ, ରାଜ୍ୟପାଳଙ୍କ କାମ ଜନତାଙ୍କ ଆଦେଶକୁ ଅବମାନା କରିବା ଭଳି ହେଉଛି। ନିର୍ବାଚିତ ସରକାରଙ୍କ ଦ୍ବାରା ପାରିତ ବିଧେୟକଙ୍କୁ ଝୁଲାଇ ରଖିବା ଠିକ୍ ନୁହେଁ। ଏହା ସହ ସରକାର ଆହୁରି କହିଥିଲେ ଯେ, ଏଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯିବା ଦରକାର, ଆଉ ଏହି ସମୟ ମଧ୍ୟରେ ରାଜ୍ୟପାଳ ବିଲ୍‌ ପାସ୍‌ କରିବେ।

ଉଲ୍ଲେଖଯୋଗ୍ୟ, ତାମିଲନାଡୁ ଭଳି ପଞ୍ଜାବ ଏବଂ କେରଳ ରାଜ୍ୟପାଳଙ୍କୁ ନେଇ ମଧ୍ୟ ବିବାଦ ଜାରି ରହିଛି। ପଞ୍ଜାବ ରାଜ୍ୟପାଳଙ୍କୁ କଡ଼ା ଭର୍ତ୍ସନା କରିବା ସହ ବେଞ୍ଚ କହିଥିଲେ ଯେ, ଆପଣ ଆଉ ଖେଳନ୍ତୁ ନାହିଁ। ନିର୍ବାଚିତ ସରକାରଙ୍କ ତରଫରୁ ପାରିତ ବିଧେୟଙ୍କୁ ରୋକିବା ଠିକ୍‌ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.