ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ, ବ୍ୟବସାୟ ପାଲଟି ଗଲାଣି ଡାକ୍ତରୀ ପାଠ୍ୟକ୍ରମ

Published By : Prameya-News7 Bureau | October 05, 2021 IST

ନୂଆଦିଲ୍ଲୀ ୦୫।୧୦: ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେବାକୁ ଥିବା ଜାତୀୟ ଯୋଗ୍ୟତା ସହ ପ୍ରବେଶ ପରୀକ୍ଷା(ନିଟ୍‌) ୨୦୨୧ର ସିଲାବସରରେ ଶେଷ ସମୟରେ ପରିବର୍ତ୍ତନ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ତାଗିଦ୍ କରି କହିଛନ୍ତି, ମେଡିକାଲ ଶିକ୍ଷା ଓ ଏହାର ନିୟମ ବ୍ୟବସାୟରେ ପରିଣତ ହୋଇ ଗଲାଣି। ପ୍ରାଧିକରଣ ଏହାକୁ ଗମ୍ଭୀରତାର ସହ ନେଇ ନିଜକୁ ସୁଧାରି ନିଅନ୍ତୁ ନଚେତ୍ ଆଇନର ହାତ ବହୁତ ଲମ୍ବା ହୋଇଥାଏ ବୋଲି କଡା ଟିପ୍ପଣୀ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ।

ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ତିନି ଜଣିଆ ପୀଠ କହିଛନ୍ତି, ଏମିତି ଲାଗୁଛି, ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ ଏହା ସୁନିଶ୍ଚିତ କରିବା ପାଇଁ କରାଯାଇଛି ଯେମିତି ଘରୋଇ ମେଡିକାଲ କଲେଜ୍‌ରେ ସିଟ୍ ଖାଲି ନରହିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପରୁ ଏହା ସନ୍ଦେଶ ମିଳୁଛି ଯେ, ଡାକ୍ତରୀ ପାଠ ବ୍ୟବସାୟରେ ପରିଣତ ହୋଇ ସାରିଛି। ସୁପ୍ରିମକୋର୍ଟ ୧୩-୧୪ ପ୍ରସ୍ତାବିତ ପରୀକ୍ଷାକୁ ଦୁଇ ମାସ ଘୁଞ୍ଚାଇବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସରକାରଙ୍କୁ ବୁଧବାର ପୁଣି ଥରେ ଏହା ଉପରେ ବିଚାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ପୀଠ କହିଛନ୍ତି, ଶେଷ ମୁହୂର୍ତ୍ତରେ ପରୀକ୍ଷା ପାଟର୍ଣ୍ଣ ପରିବର୍ତ୍ତନ ତର୍କସଙ୍ଗତ ହେବା ଉଚିତ୍। ଶେଷ ସମୟରେ ଏମିତି ପଦକ୍ଷେପ ନେବାର କଣ ଆବଶ୍ୟକତା ରହିଛି। ସରକାରଙ୍କୁ ବିଦ୍ୟାର୍ଥୀଙ୍କ ପ୍ରତି ଚିନ୍ତା କରିବା ଆବଶ୍ୟକ ରହିଛି। କାରଣ ଛାତ୍ର-ଛାତ୍ରୀ ଦୀର୍ଘ ସମୟ ଧରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ଏମିତି ସମୟରେ ପରୀକ୍ଷା ପାଟର୍ଣ୍ଣ ବଦଳାଯିବା ଗୁରୁତର ବିଷୟ।

ଦୁଇ ମାସର ସମୟ କଣ ପାଇଁ ବରବାଦ କରିବେ

ପୀଠ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆପଣ କହୁଛନ୍ତି ପରୀକ୍ଷା ଦୁଇ ମାସ ଘୁଞ୍ଚାଇ ଦିଆଯାଉ। ଛାତ୍ର ଏତେ ସମୟ ଧରି ପ୍ରସ୍ତୁତି କରୁଛନ୍ତି। ଏମାନଙ୍କ ଦୁଇ ମାସର ସମୟ ଆପଣ କାହିଁକି ବରବାଦ କରୁଛନ୍ତି ? କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଡିସିନାଲ ସଲିସିଟର ଜେନେରାଲ ଐଶ୍ଵର୍ଯ୍ୟା ଭାଟି କହିଛନ୍ତି, ପରୀକ୍ଷା ଦେଉଥିବା ୫ ହଜାର ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ କେବଳ ୪୧ ଜଣ ଏହା ବିରୋଧରେ ଆବେଦନ କରିଛନ୍ତି। ଏହା ଉପରେ ବିଚାରପତି ନାଗରତ୍ନା କହିଛନ୍ତି, ଅଦାଲତର ଦ୍ଵାରସ୍ଥ  ହେଉଥିବା ଲୋକଙ୍କ ସଂଖ୍ୟା କୌଣସି ମହତ୍ଵ ରଖେ ନାହିଁ। ଏହି ୪୧ ଜଣଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ଏହା ସେମାନଙ୍କର ଜୀବନ ଏବଂ କ୍ୟାରିୟର ମାମଲା। ସେମାନଙ୍କୁ ମଧ୍ୟ ଅନ୍ତତଃ ପରୀକ୍ଷାରେ ବସିବାକୁ ପଡିବ। ସରକାରଙ୍କୁ ଏହି ମାମଲାରେ ପୁନର୍ବାର ବିଚାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ବୁଧବାର ମଧ୍ୟ ଶୁଣାଣି ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.