ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା

Published By : Prameya-News7 Bureau | July 10, 2024 IST

Internet

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏଣିକି ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା। ଛାଡପତ୍ର ପାଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ରାୟ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ମୁସଲମାନ ମହିଳା CrPC ଧାରା ୧୨୫ ଅନୁଯାୟୀ ନିଜ ସ୍ୱାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ଦାବି ନେଇ ଯାଚିକା ଦାଖଲ କରିପାରିବେ। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ରାୟରେ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ।

ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ବଡ଼ ରାୟ ଶୁଣାଇଛନ୍ତି। ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ବ ନେବାକୁ ସ୍ବାମୀ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଉ ଦର୍ଶାଇଛନ୍ତି ଯେ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। ସୁପ୍ରିମକୋର୍ଟ ଏହି ରାୟ ପରେ ମୁସଲିମ ମହିଳାମାନଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। 

 ତେଲେଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ବାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ 2017ରେ ଛାଡ଼ପତ୍ର ହୋଇଥିଲା।ତେବେ ସଂପୃକ୍ତ ମହିଳା CrPC ଧାରା 125 ଅନୁଯାୟୀ ସ୍ବାମୀଙ୍କ ଦାବି କରିଥିଲେ ଭରଣ ପୋଷଣ। ଏହା ପରେ ତାଙ୍କ ସ୍ବାମୀ ମସାଦ ଏହାକୁ କରିଥିଲେ ଚ୍ୟାଲେଞ୍ଜ। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଜର୍ଜ ମାସିହ ଶୁଣାଣି କରି ଅବଦୁଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। CrPCର ଧାରା 125 ଅନୁସାରେ ଛାଡ଼ପତ୍ର ପରେ ବି ସ୍ବାମୀ  ସ୍ତ୍ରୀର ଭରଣପୋଷଣ ଦାୟିତ୍ବ ନେବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି। ଏଥିସହ ଭରଣ ପୋଷଣ ବାବଦକୁ ସ୍ତ୍ରୀକୁ ମାସିକ 20 ହଜାର ଟଙ୍କା ଦେବାକୁ ଅବଦୁଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ରାୟ ଶୁଣାଣି ବେଳେ ଜଷ୍ଟିସ ନାଗାରତ୍ନ କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି ଭାରତୀୟ ପୁରୁଷମାନେ ନିଜ ପତ୍ନୀଙ୍କ ତ୍ୟାଗକୁ ଚିହ୍ନିବା ଉଚିତ୍। ନିଜର ଆକାଉଣ୍ଟ ସହ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.