ନୂଆଦିଲ୍ଲୀ: EVM-VVPAT ମାମଲାରେ ନିର୍ବାଚନ ଆୟୋଗଙ୍କଠାରୁ ଅଧିକ ସ୍ପଷ୍ଟୀକରଣ ମାଗିଛନ୍ତି ସୁପ୍ରିମକୋର୍ଟ। ଏହାର ଜବାବ ଦେବାକୁ କୋର୍ଟ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ କହିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଛନ୍ତି ଯେ:-
- ମାଇକ୍ରୋ କଣ୍ଟ୍ରୋଲର କଣ୍ଟ୍ରୋଲ ୟୁନିଟରେ ଅଛି ନା VVPATରେ ଅଛି?
- ମାଇକ୍ରୋ କଣ୍ଟ୍ରୋଲର ଓ୍ୱାନ୍ ଟାଇମ୍ ପ୍ରୋଗ୍ରାମେବଲ୍ କି ପୁନଃ ପ୍ରୋଗ୍ରାମ ହୋଇପାରିବ?
- ଆପଣଙ୍କ ପାଖରେ ସିଗନାଲ ଲୋଡିଂ ୟୁନିଟ୍ କେତେ ଅଛି?
- ଆପଣ ଡାଟାକୁ ୩୦ ଦିନ ପାଇଁ ସୁରକ୍ଷିତ ରଖୁଛନ୍ତି ନା ୪୫ ଦିନ ପାଇଁ?
- ଇଭିଏମର ତିନୋଟି ୟୁନିଟ୍ ଏକତ୍ର ସିଲ୍ ହୋଇଛି ନା କଣ୍ଟ୍ରୋଲ୍ ୟୁନିଟ୍ ଏବଂ VVPAT ଅଲଗା ରଖାଯାଇଛି ?
ଏପ୍ରିଲ ୧୮ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ, କିନ୍ତୁ ବିଚାରପତିମାନେ ଆହୁରି କିଛି ଦିଗ ଉପରେ ସ୍ପଷ୍ଟୀକରଣର ଆବଶ୍ୟକତା ନେଇ ଅନୁଭବ କରିଥିଲେ। ଆବେଦନଗୁଡିକରେ, ସମସ୍ତ VVPAT ସ୍ଲିପ୍ ଗଣିବାକୁ ଦାବି ହୋଇଛି। ନିର୍ବାଚନ ଆୟୋଗର ଲିଖିତ ଉତ୍ତର ଏବଂ FAQ ଦେଖିବା ପରେ କୋର୍ଟ ଆହୁରି କିଛି ଦିଗ ବୁଝିବାର ଆବଶ୍ୟକତା ଉପରେ ବିଚାର କରିଛନ୍ତି।
ପ୍ରକାଶଥାଉକି ଏହା ପୂର୍ବରୁ ଗୁରୁବାର ସୁପ୍ରିମକୋର୍ଟରେ EVM-VVPAT ମାମଲାର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗଙ୍କୁ କହିଥିଲେ ଯେ ନିର୍ବାଚନ ପ୍ରକ୍ରିୟାରେ ପବିତ୍ରତା ରହିବା ଉଚିତ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପଦକ୍ଷେପ ନିଆଯାଉଥିବା ଆୟୋଗକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ କୁହାଯାଇଥିଲା। ସେପଟେ ଇଭିଏମ୍ ଟ୍ୟାମ୍ପରିଂ ଅସମ୍ଭବ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା।