ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଆନ୍ଦୋଳନ ବା ପ୍ରତିବାଦ ଅନ୍ୟମାନଙ୍କ ଅଧିକାରକୁ ଉଲ୍ଲଂଘନ କରିପାରିବ ନାହିଁ

Published By : Prameya-News7 Bureau | February 29, 2020 IST

ନୂଆଦିଲ୍ଲୀ ୨୯।୦୨- ଗୋଟିଏ ସମୁଦାୟର  ଆନ୍ଦୋଳନ ଓ ପ୍ରତିବାଦ  ଅନ୍ୟ ମାନଙ୍କର ଅଧିକାରକୁ ଉଲଂଘନ କରିପାରିବ ନାହିଁ । ଆନ୍ଦୋଳନକୁ  ପ୍ରତିବାଦ କରିବାର ତରିକା ତଥା ମୌଳିକ ଅଧିକାର ଦାବି କରି ଆଗତ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଦେଇଛନ୍ତି ଏକ ଗୁରୁତ୍ବପୂର୍ଣ୍ମ ରାୟ । ବିଭିନ୍ନ ଅଦାଲତ ଏବଂ ବିଚାରପତି  ଶାନ୍ତିପୂର୍ଣ୍ମ ଆନ୍ଦୋଳନ ଏବଂ ପ୍ରତିବାଦର ଆଧିକାର ଏବଂ ଗୁରୁତ୍ବ ନେଇ ମତ ରଖିଥିବା ବେଳେ, ସୁପ୍ରିମକୋର୍ଟ ଆନ୍ଦୋଳନ ଏବଂ ପ୍ରତିବାଦର ଯଥାର୍ଥତା ଉପରେ ଏପରି ରାୟ ଦେଇଛନ୍ତି । ଉତ୍ତରାଖଣ୍ଡର ଆନ୍ଦୋଳନକାରୀ ଆଇନଜୀବୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି  କହିଥିବା ବେଳେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି । ଏହା ସହ ଉତ୍ତରାଖଣ୍ଡର ଜିଲ୍ଲା କୋର୍ଟଙ୍କୁ ବର୍ଷ ବର୍ଷ ଧରି ଆନ୍ଦୋଳନ ବାହାନାରେ ବୟକଟ କରିଆସୁଥିବା ଆଇନଜୀବୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ସମ୍ମତ ହୋଇଛନ୍ତି ।

ଉତ୍ତରାଖଣ୍ଡରେ ଆନ୍ଦୋଳନକାରୀ ଓକିଲ ମାନେ ବାରମ୍ବାର ଜିଲ୍ଲା କୋର୍ଟଙ୍କ କାର୍ଯ୍ୟରେ ଅସହଯୋଗ କରିଆସୁଥିଲେ । ଓକିଲଙ୍କ ଆନ୍ଦୋଳନ ଏବଂ ପ୍ରତିବାଦ କାରଣରୁ ଜିଲ୍ଲା କୋର୍ଟ ଗୁଡିକରେ କାର୍ଯ୍ୟ ବାଧାପ୍ରାପ୍ତ ହେବା ଫଳରେ ହାଇକୋର୍ଟରେ ମାମଲା ହୋଇଥିଲା । ଓକିଲଙ୍କ  ଆନ୍ଦୋଳନକୁ ନାପସନ୍ଦ କରିଥିଲେ ହାଇକୋର୍ଟ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ତେବେ ଉତ୍ତରାକମ୍ଡର ଆଇନଜୀବୀ ମାନେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହା ସେମାନଙ୍କର ବାକ୍‌ ସ୍ବାଧୀନତାର ମୌଳିକ ଅଧିକାରକୁ ଉଲଂଘନ କରୁଛି । ସେମାନଙ୍କୁ ଚିନ୍ତିତ କରୁଥିବା କିଛି ପ୍ରସଙ୍ଗରେ ସେମାନେ ଆନ୍ଦୋଳନ କରୁଥିବା ବେଳେ ତଥା ଶାନ୍ତୁ ପୂର୍ଣ୍ମ ଆନ୍ଦୋଳନ ଜରିଆରେ ଆଇନଜୀବୀ ସଂପ୍ରଦାୟ ବା ଓକିଲ ସମାଜର ସମସ୍ୟା ଉପସ୍ଥାପିତ କରୁଥିବା ବେଳେ  ହାଇକୋର୍ଟଙ୍କ ନିର୍ଦ୍ଦେଶ ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛି ବୋଲି ଯୁକ୍ତି ରଖିଥିଲେ ଉତ୍ତରାଖଣ୍ଡ ଆଇନଜୀବୀ । ତେବେ ସୁପ୍ରିମକୋର୍ଟ ସେହି ଯୁକ୍ତିକୁ ଅଗ୍ରାହ୍ୟ କରିଛନ୍ତି ।

 ବିଚାରପତି ଅରୁଣ ମିଶ୍ର ଏବଂ ବିଚାରପତି ଏମ୍.ଆର୍. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି,ଏପରି ବାକ୍‌ ସ୍ବାଧୀନତାର ଅଧିକାରକୁ ବିଭିନ୍ନ ମାମଲାର ବାଦୀ- ପ୍ରତିବାଦୀଙ୍କ ସ୍ବାର୍ଥ୍ୟ ତଥା ସଂପୂର୍ଣ୍ମ ବିଚାର ପ୍ରଦାନ ପକ୍ରିୟାର ବଦଳରେ ଅନୁମତି ଦିଆଯାଇପାରିବ ନାହିଁ । ଅର୍ଥାତ୍‌ ବାକ୍‌ ସ୍ବାଧୀନତା ଭଳି ମୌଳିକ ଅଧିକାର ଲାଗି  ଅନ୍ୟ ମାନଙ୍କ ଅଧିକାର ଉଲଂଘନ କରାଯାଇପାରିବ ନାହିଁ । ଏହା କହିବା ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ,ସମ୍ବିଧାନର ଧାରା ୧୯(୧)(କ) ଅଧୀନରେ  କୋର୍ଟ ବର୍ଜନ ଭଳି ଆନ୍ଦୋଳନକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ ବା ଯଥାର୍ଥ କୁହାଯାଇପାରିବ ନାହିଁ ।

 ଡେରାଡୁନ୍, ହରିଦ୍ବାର ଓ ଉଦ୍ଧାମସିଂ ନଗର ଆଦିର ଓକିଲ ମାନେ ପ୍ରାୟ ୩୫ ବର୍ଷ ଧରି ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନର ଆଳ ଦେଖାଇ ପ୍ରତି ଶନିବାର  କୋର୍ଟ ବର୍ଜନ କରିଆସୁଛନ୍ତି । ଏପରିକି ୨୦୧୨ରୁ ୨୦୧୬ ମଧ୍ୟରେ ଏସବୁ ଜିଲ୍ଲାର ଓକିଲମାନେ ବର୍ଷକୁ ହାରାହାରି ୯୧ ଦିନରୁ ୧୦୩ ଦିନଏପରି ଭାବେ କୋର୍ଟ ବର୍ଜନ କରୁଥିବା ତଥ୍ୟ ଆସିଥିଲା । ଆଇନଜୀବୀଙ୍କ ଏପରି ଆନ୍ଦୋଳନର ବିରୋଧକରି ହାଇକୋର୍ଟରେ ପ୍ରଥମେ ଏକ ଜନସ୍ବାର୍ଥ ମାମାଲା ରୁଜ୍ଜୁ ହୋଇଥିଲା ।ହାଇକୋର୍ଟ ଓକିଲଙ୍କ ଏପରି ଆନ୍ଦୋଳନକୁ ନାପସନ୍ଦ କରିଥିଲେ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.