ସୁପ୍ରିମକୋର୍ଟର ତିନିଟି ଗୁରୁତ୍ବପୂର୍ଣ୍ଣ ରାୟ : ଆଧାର, ପଦୋନ୍ନତିରେ ସଂରକ୍ଷଣ ଏବଂ କୋର୍ଟରୁମରୁ ସିଧାପ୍ରସାରଣ ସମ୍ପର୍କରେ କ’ଣ କହିଛନ୍ତି ଅଦାଲତ ଜାଣନ୍ତୁ
26/09/2018 at 4:01 PM

ନୂଆଦିଲ୍ଲୀ ୨୬|୯: ସୁପ୍ରିମକୋର୍ଟରେ ଆଜି ତିନିଟି ଗୁରୁତ୍ବପୂର୍ଣ୍ଣ ମାମଲାରେ ଆସିଛି ରାୟ। ଏହା ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆଧାର ମାମଲା। ଆଧାରର ବୈଧତକୁ ସୁପ୍ରିମକୋର୍ଟ କାଏମ ରଖିଥିବା ବେଳେ କେଉଁଠି ଏହା ବ୍ୟବହାର ହୋଇପାରିବ କେଉଁଠି ହେବନି ତାହାର ମଧ୍ୟ ଲକ୍ଷ୍ଣଣରେଖା ଟାଣିଛନ୍ତି। ସେହିପରି ସରକାରୀ ଚାକିରୀର ପଦୋନ୍ନତି ଏବଂ କୋର୍ଟ ମାମଲାର ସିଧା ପ୍ରସାରଣ ବାବଦରେ ମଧ୍ୟ କୋର୍ଟ ନିଷ୍ପତ୍ତି ଜଣାଇଛନ୍ତି।
ସୁପ୍ରିମକୋର୍ଟଙ୍କ ୩ ରାୟ। ଯେଉଁଥିରେ ନାଗରିକର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ ଏହି ରାୟ। ରାୟ ନମ୍ବର ୧- ଆଧାର ଅଧିକାର ଉପରେ କୋର୍ଟ ସ୍ପଷ୍ଟ ରାୟ ଦେଇଛନ୍ତି। ଆଧାରର ବୈଧତା କାଏମ ରଖିଛନ୍ତି କୋର୍ଟ । ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ଚୂଡ଼ାନ୍ତ ରାୟ ଦେଇଛନ୍ତି। କେଉଁଠି ଆଧାର ବ୍ୟବହାର ବାଧ୍ୟ ଆଉ କେଉଁଠି ଜରୁରୀ ନୁହେଁ ଆଜି ସ୍ପଷ୍ଟ କରିଛନ୍ତି କୋର୍ଟ । ଜଣେ ନାଗରିକର ପରିଚୟ ପାଇଁ ଆବଶ୍ୟକ ଏହି ଆଧାର ରହିବା ଜୁରୁରୀ, ଆଇଟି ରିଟର୍ଣ୍ଣ, ପ୍ୟାନ କାର୍ଡ ରେ ଏହାର ଲିଙ୍କ ହେବା ଜରୁରୀ, ସରକାରୀ ଯୋଜନାର ହିତାଧିକାରୀଙ୍କ କାର୍ଡ ଲିଙ୍କ ହେବା ବି ଜରୁରୀ । ତେବେ କେଉଁଠି ଜରୁରୀ ନୁହେଁ। ଏବେ ପ୍ରାଇଭେଟ କମ୍ପାନୀ ମାଗି ପାରିବେନି ଆଧାର କାର୍ଡ । ଫୋନରେ କିମ୍ବା ବ୍ୟାଙ୍କରେ ଲିଙ୍କ ହେବା ଜରୁରୀ ନୁହଁ। ସେହିପରି ସ୍କୁଲରେ ଆଡମିଶନରେ ଏମିତିକି ଯିଏ ଯେଉଁଠି ଆଧାର କାର୍ଡ ମାଗୁଥିଲେ ତାହା ଜରୁରୀ ନୁହଁ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ।
ଆଧାର ଦ୍ବାରା ଜଣେ ବ୍ୟକ୍ତିର ଅଧିକାର କ୍ଷୁର୍ଣ୍ଣ ହେଉଛି। ତାର ସମସ୍ତ ଗୁପ୍ତ ତଥ୍ୟ ହରଣ କରାଯାଉଛି। ଯାହାକୁ ନେଇ ୨୭ଟି ମାମଲା ରୁଜୁ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଆଜି ଯାହା ରାୟ ଦେଇଛନ୍ତି ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ହୋଇଛି. କଂଗ୍ରେସ କହିଛି ଏହା କେନ୍ଦ୍ର ସରକାରଙ୍କ ଉପରେ ଏକ ଶକ୍ତ ଚାପୁଡ଼ା ହୋଇଛି । ଆଉ ବିଜେପି କହିଛି ଆଧାର ଲୋକଙ୍କ ହିତ ପାଇଁ ହିଁ ଜରୁରୀ ଯାହାକୁ ସ୍ବୀକୃତି ମିଳିଛି।
ରାୟ ନମ୍ବର ୨। ସୁପ୍ରିମକୋର୍ଟ ଆଜି ଦେଇଥିବା ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ରାୟ ହେଲା ଏସ ଏସଟିଙ୍କୁ ପଦୋନ୍ନତିରେ ମିଳୁଥିବା ସଂରକ୍ଷଣ ସଂପର୍କିତ। ଆଉ କୋର୍ଟ ଏହାକୁ ଯଦିଓ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିନାହାନ୍ତି କିମ୍ବା ଗ୍ରିନ ସିଗନାଲ ଦେଇନାହାନ୍ତି। କିନ୍ତୁ ଏହାକୁ ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଛନ୍ତି। ରାଜ୍ୟ ସରକାର ଚାହିଁଲେ ଏହାକୁ ରୋକିପାରିବେ।
ସୁପ୍ରିମକୋର୍ଟ ଦେଇଥିବା ଆଜିର ତୃତୀୟ ମାମଲାଟି ହେଲା ଏଣିକି କୋର୍ଟ କାର୍ଯ୍ୟର ସିଧାପ୍ରସାରଣ ହୋଇପାରିବ। ମାନେ କୋର୍ଟରେ ଯାହା ଯାହା ଘଟୁଛି ତାହା ଜନସାଧାରଣ ଜାଣିବାର ଅଧିକାର ରହିଛି। ଏହା ବିଚାର ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବ ବୋଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା କହିଛି। ପ୍ରଧାନ ବିଚାରପତିଙ୍କ ଅବସର ପାଇଁ ଆଉ ମାତ୍ର ୬ ଦିନ ଥିବା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଉପରେ ସାରା ଦେଶ ରଖିଛି ନଜର।