ଆଧାର କାର୍ଡକୁ ବୈଧ ଘୋଷଣା କଲେ ସୁପ୍ରିମକୋର୍ଟ
26/09/2018 at 12:54 PM

ନୂଆଦିଲ୍ଲୀ ୨୬|୯: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକଙ୍କ ମିଶ୍ରଙ୍କ ନେତୃତ୍ବରେ ଗଠିତ ସାମ୍ବିଧାନିକ ବେଞ୍ଚ୍ ଆଧାର କାର୍ଡର ବୈଧତା ନେଇ ରାୟ ପ୍ରଦାନ କରିଛନ୍ତି । ଆଧାର କାର୍ଡକୁ ବୈଧ ଘୋଷଣା କରିଛନ୍ତି ସାମ୍ବିଧାନିକ ବେଞ୍ଚ । ଆଧାର କାର୍ଡ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଥିବା ନେଇ ସର୍ବୋଚ୍ଚ ଅଦାଲତରେ ୩୧ଟି ଆବେଦନ ଶୁଣାଣି କରି ସାମ୍ବିଧାନିକ ବେଞ୍ଚ ରାୟ ଶୁଣାଇଛନ୍ତି । ଆଧାର ସୂଚନାକୁ ସୁରକ୍ଷିତ ରଖିବାକୁ ଲାଗି କେନ୍ଦ୍ର ସରକାରଙ୍କୁ କଡା ଆଇନ ଆଣିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି । ସ୍କୁଲ ଆଡମିଶନରେ ସମୟରେ ଆଧାରକାର୍ଡକୁ ବାଧ୍ୟତାମୂଳକ ନକରିବାକୁ କହିଛନ୍ତ । ଏନେଇ ସ୍କୁଲ ପ୍ରଶାସନ ଅଭିଭାବକମାନଙ୍କୁ ବାଧ୍ୟ କରିପାରିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସେହିଭଳି ବ୍ୟାଙ୍କ ଖାତା, ମୋବାଇଲ ସଂଯୋଗରେ ଆଧାରକୁ ଯୋଡାଯାଇ ପାରିବନାହିଁ । ତେବେ ବେଆଇନଭାବେ ଦେଶରେ ଅନୁପ୍ରବେଶ କରୁଥିବା ଅନୁପ୍ରବେଶକାରୀ ଯେମିତି ଆଧାର କାର୍ଡ ନପାଆନ୍ତି ସେନେଇ କେନ୍ଦ୍ର ସରକାର ତୀକ୍ଷ୍ନ ନଜର ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ। ପାନ୍ ସଂଯୋଗ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ୟୁଜିସି, ନିଟ୍, ସିବିଏସଇ ପରି ପରୀକ୍ଷାରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି । କୌଣସି ମୋବାଇଲ କମ୍ପାନୀ ଗ୍ରାହକଙ୍କୁ ଆଧାର କାର୍ଡ ଦେବାକୁ ବାଧ୍ୟ କରିପାରିବେନି ବୋଲି କହିଛନ୍ତି ସୁପ୍ରିମକୋର୍ଟ।