ମଣିପୁର ହିଂସା ମାମଲାରେ ‘ସୁପ୍ରିମ’ ନିଷ୍ପତ୍ତି, ସିବିଆଇ କେସ୍‌କୁ ଗୌହ୍ୱାଟୀ ସ୍ଥାନାନ୍ତର

Published By : Prameya-News7 Bureau | August 25, 2023 IST

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟ ବଡ଼ ପଦକ୍ଷେପ ନେଇଛନ୍ତି । ସର୍ବୋଚ୍ଚ ଅଦାଲତ ସିବିଆଇ କେସ୍‌କୁ ଆସାମର  ଗୌହ୍ୱାଟୀକୁ ସ୍ଥାନାନ୍ତର କରିଛନ୍ତି । ଏହା ସହିତ ଏହି ମାମଲାରେ ସ୍ପେଶାଲ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି କରି ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି. ପାରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ବେଞ୍ଚ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଗୋହ୍ବାଟୀ ହାଇକୋର୍ଟ ଚିଫ୍ ଜଷ୍ଟିସଙ୍କୁ ଏହି ମାମଲାରେ ଜଣେ ଅଧିକ ସ୍ପେଶାଲ ଜଜ୍ ନିୟୁକ୍ତି ପାଇଁ କହିଛନ୍ତି । ଏହା ସହିତ ଅଭିଯୁକ୍ତଙ୍କୁ ଭିସି ମାଧ୍ୟମରେ ହାଜର କରିବାକୁ କହିଛନ୍ତି । ସେହିପରି ଅଭିଯୁକ୍ତ ମାନେ ବିଚାର ବିଭାଗୀୟ ହାଜତରେ ରହିବେ ।

ସେହିପରି ଗାଇଡ୍‌ଲାଇନ ମୁତାବକ, CrCP 164 ଧାରା ଆଧାରରେ ମଣିପୁର କ୍ଷେତ୍ରୀୟ ମାଜିଷ୍ଟ୍ରେଟଙ୍କ ସାମ୍ନରା ସାକ୍ଷୀମାନଙ୍କର ବୟାନ ରେକର୍ଡ ହେବ । ଅଭିଯୁକ୍ତମାନେ ମଣିପୁର ନିମ୍ନ ଅଦାଲତରେ ପରେଡ୍ କରିବେ । ମାମଲାର ଶୁଣାଣି ବେଳେ ମଣିପୁର ରାଜ୍ୟ ସରକାର ପର୍ଯ୍ୟାପ୍ତ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବେ ।  ଅନ୍ୟପଟେ ଯଦି କୌଣସି ଅଭିଯୁକ୍ତ ଗୌହ୍ୱାଟୀ ଯାଇ ବୟାନ ରେକର୍ଡ କରିବାକୁ ଚାହାନ୍ତି, ତେବେ ଏଥିପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିବେ । ମଣିପୁର ମାମଲାରେ ସିଜେଆଇ କହିଛନ୍ତି, ଯଦି ଶୁଣାଣି ବେଳେ ମଣିପୁରରେ ସ୍ଥିତିରେ ସୁଧାର ଆସେ ତେବେ ନିଯୁକ୍ତ ହୋଇଥିବା ବିଚାରପତି ସେହି ରାଜ୍ୟରେ ମାମଲାର ବିଚାର କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.