ନୂଆ ସଂସଦ ଭବନ ଉଦ୍‌ଘାଟନ ନେଇ ହୋଇଥିବା ମାମଲାର ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | May 25, 2023 IST

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହେବାର କିଛି ଘଣ୍ଟା ପରେ ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର(ମେ ୨୬) ମାମଲାର ଶୁଣାଣି ହେବ। ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ ପିଏସ୍ ନରସିହ୍ମା ମାମଲାର ଶୁଣାଣି କରିବେ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଓକିଲ ସିଆର୍ ଜୟ ସୁକୀନ ଆଜି ଏନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ନୂଆ ସଂସଦ ଭବନ ଉଦ୍‌ଘାଟନରେ ରାଷ୍ଟ୍ରପତିଙ୍କୁ ସାମିଲ ନକରି କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନର ଉଲଂଘନ କରୁଛନ୍ତି ବୋଲି ସୁକୀନ ଆବେଦନରେ ଜଣାଇଥିଲେ।

ଏଥିରେ କୁହାଯାଇଥିଲା ଯେ ସଂସଦ ଭାରତର ସର୍ବୋଚ୍ଚ ଲେଜିସଲେଟିଭ ବଡି। ସଂସଦ ରାଷ୍ଟ୍ରପତି ଓ ଦୁଇ ସଦନ (ଲୋକସଭା ଓ ରାଜ୍ୟସଭା)କୁ ନେଇ ହୋଇଥାଏ। ରାଷ୍ଟ୍ରପତିଙ୍କ ପାଖରେ କୌଣସି ସଦନକୁ ଡାକିବା ଓ ଅଧିବେଶନ ଭଙ୍ଗ କରିବାର କ୍ଷମତା ରହିଛି। ତେଣୁ ରାଷ୍ଟ୍ରପତିଙ୍କୁ ଉଦ୍‌ଘାଟନୀ ଉତ୍ସବକୁ ନ ଡାକିବା ସମ୍ପୂର୍ଣ୍ଣ ଅନୁଚିତ ବୋଲି ଆବେଦନ ଉଲ୍ଲେଖ ରହିଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ। ତେବେ କାହିଁକି ରାଷ୍ଟ୍ରପତିଙ୍କୁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରୁ ଦୂରେଇ ରଖାଗଲା ? ଆଉ ଏବେ ରାଷ୍ଟ୍ରପତିଙ୍କୁ ଉଦ୍‌ଘାଟନ ଉତ୍ସବକୁ ଡକାଯାଉନି। ସରକାରଙ୍କର ଏହି ନିଷ୍ପତ୍ତି ଉଚିତ ନୁହେଁ ବୋଲି ଆବେଦନରେ ଦର୍ଶାଇଯାଇଛି।

ସୂଚନାଥାଉକି, ସଂସଦ ଭବନ ଉଦ୍‌ଘାଟନ ନେଇ ଦେଶରେ ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ୨୦ ବିରୋଧୀ ଦଳ ଉଦ୍‌ଘାଟନ ଉତ୍ସବକୁ ବର୍ଜନ କରିଥିବା ବେଳେ ୧୫ ବିଜେପି ସହଯୋଗୀ ଓ ଅନୁଗାମୀ ଦଳ ଉତ୍ସବକୁ ଆସିବାକୁ ହଁ ଭରିଛନ୍ତି। ମେ ୨୮ରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହେବାକୁ ଥିବା ବେଳେ ବିରୋଧ ତେଜିବାରୁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.